ମତଦାନ ସମୟରେ ହିଂସା ଦେଖିଲା ଓଡ଼ିଶା । ବ୍ରହ୍ମଗିରି, ବୋଲଗଡ଼, ଡେଲାଙ୍ଗ, ଘସିପୁରା, ଆଠଗଡ଼ରେ ଉତ୍ତେଜନା । ବିଭିନ୍ନ ସ୍ଥାନରେ ବୁଥ ରିଗିଂ ଅଭିଯୋଗ

579

କନକ ବ୍ୟୁରୋ: କେଉଁଠି ହୋହଲ୍ଲା ତ’ ଆଉ କେଉଁଠି ହଙ୍ଗାମା । କେଉଁଠି ଉତ୍ତେଜନା ତ’ ଆଉ କେଉଁଠି ହିଂସା । ପ୍ରଥମ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ସୁରୁଖୁରୁରେ ନିର୍ବାଚନ ସରିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଅନେକ ସ୍ଥାନରୁ ହିଂସା ଓ ଉତ୍ତେଜନାର ଖବର ଆସିଛି । ଦଳୀୟ କର୍ମୀଙ୍କ ଭିତରେ ଠେଲାପେଲା, ପୁଲିଂ ବୁଥରେ ଉତ୍ତେଜନା, ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ହାତାହାତିର ଭଳି ଘଟଣା ସାମ୍ନାକୁ ଆସିଛି ।

  • ଭୋଟ୍ ବେଳେ ହିଂସା ଦେଖିଲା ଓଡ଼ିଶା!
  • ୩ୟ ପର୍ଯ୍ୟାୟରେ ଅନେକ ଅଭିଯୋଗ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଧାୟକ ସୁଶାନ୍ତ ବେହେରାଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଶାସକ ଦଳର ନେତା ଓ କର୍ମୀ ବୁଥ୍ ରିଗିଂ କରୁଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ଏହି ଘଟଣାରେ ବିଧାୟକ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବ୍ରହ୍ମଗିରି: ବ୍ରହ୍ମଗିରିରେ ବାରମ୍ବାର ଇଭିଏମରେ ତ୍ରୁଟି ଯୋଗୁଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିଂ ଅଧିକାରୀଙ୍କ ଅବହେଳା ନେଇ ଅଭିଯୋଗ ଆଣିଥିଲେ ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ।

ଡେଲାଙ୍ଗ: ଡେଲାଙ୍ଗ ଗୁଳିଆପଡ଼ା ପଞ୍ଚାୟତ ୯୦ ନମ୍ବର ବୁଥରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛିା । ବୁଥ୍ ଭିତରେ ବିଜେଡି ସୁପ୍ରିମୋଙ୍କ ଫଟୋ ଥିବା ଟୋକେନ ଥିବାରୁ ହୋହଲ୍ଲା କରିଛନ୍ତି ଭୋଟର୍ ।

ଆଠଗଡ଼: ଆଠଗଡ଼ ୧୧୫ ନମ୍ବର ରାଧାଗୋବିନ୍ଦପୁର ଆଦର୍ଶ ବୁଥରେ ମତଦାନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତିି ହୋଇଛି । ମାରପିଟ୍ ଯୋଗୁଁ ୪ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଘସିପୁରା: ଘସିପୁରରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଘଟଗାଁ ବ୍ଲକ ରୁଟିଶିଳା ପଞ୍ଚାୟତ ସାରୁପାଟ ୩୮ ନମ୍ବର ବୁଥରେ ବିଜେଡି ନେତ୍ରୀ, ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ନେତ୍ରୀ ଉଦ୍ୟମ କରୁଥିଲେ । ଏହି ସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ସେହିପରି ବଡ଼ଜାମୁବଶିରେ ମଧ୍ୟ ଜଣେ ପୁଲିସ କର୍ମଚାରୀ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବାଙ୍କୀ: ବାଙ୍କୀରେ ଉତ୍ତେଜନା । ପାଥପୁର ୧୮୬ ନମ୍ବର ବୁଥରେ ରିଗିଂ ହେଉଥିବା ଅଭିଯୋଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୩ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ବାଁଆରା ପଞ୍ଚାୟତର ରାମଚଣ୍ଡୀ ଗାଁର ୨୦୦ ନମ୍ବର ବୁଥରେ ଉଭୟ ଦଳର ସମର୍ଥକ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି ।