ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଆସନ୍ତାକାଲି ସକାଳେ ଭୀଷଣ ବାତ୍ୟାର ରୂପ ନେବ ରେମାଲ

552

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ । ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଭୀଷଣ ବାତ୍ୟା ‘ରେମାଲ’ । ସେହି ସମୟରେ ସର୍ବାଧିକ ୧୩୫ କିଲୋମିଟର ବେଗରେ ଝଟକା ଦେଇପାରେ ପବନ । ଓଡ଼ିଶାରେ ଏହାର ସିଧା ସଳଖ ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ । ତେବେ ଆସନ୍ତାକାଲିଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ଉତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । କିଛି ଅଂଚଳରେ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି କୋଲାକାତା ବିମାନବନ୍ଦରରେ ଆସନ୍ତାକାଲି ଦିନ ୧୨ଟାରୁ ୨୭ ତାରିଖ ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ ।