ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀରେ ବିଗ୍ ଫାଇଟ୍ । ବିଜେପିକୁ ଟକ୍କର ଦେବାକୁ ଆପ-କଂଗ୍ରେସର ରଣନୀତି । ଉତ୍ତର-ପୂର୍ବ ଆସନରେ ମନୋଜ ତିୱାରୀ ବନାମ କହ୍ନେୟା କୁମାର ।

366

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ୭ ଆସନ ସହ ମୋଟ ୫୮ ଆସନରେ ଶନିବାର ଭୋଟ ଗ୍ରହଣ ହୋଇଛି । ଆପ ଓ କଂଗ୍ରେମ ଏଥର ମିଳିତ ଭାବେ ନିର୍ବାଚନ ଲଢୁଥିବାରୁ ଦିଲ୍ଲୀରେ ବିଜେପି ଏବଂ ଇଣ୍ଡିଆ ବ୍ଳକ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

  • ଷଷ୍ଠ ପର୍ଯ୍ୟାୟରେ ବିଗ୍ ଫାଇଟ୍
  • ଦିଲ୍ଲୀରେ ହେବ କଡା ଟକ୍କର
  • ମନୋଜ ତିୱାରୀ ବନାମ କହ୍ନେୟା କୁମାର

ସବୁଠୁ ଚର୍ଚ୍ଚାରେ ରହିଛି ଦିଲ୍ଲୀର ଉତ୍ତର-ପୂର୍ବ ଆସନ । ଏଥିରେ ବିଜେପି ଦୁଇ ଥରର ସାଂସଦ ମନୋଜ ତିୱାରୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ଯୁବ ତଥା ଛାତ୍ର ନେତା କହ୍ନେୟା କୁମାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କହ୍ନେୟା ନିର୍ବାଚନ ଲଢୁଥିବା ବେଳେ ଦଳ ଭିତରୁ ତାଙ୍କୁ ବିରୋଧ କରାଯାଉଥିବା କହିଛନ୍ତି ମନୋଜ ତିୱାରୀ ।

ସୋମନାଥ ଭାରତୀ ବନାମ ବାଂଶୁରୀ ସ୍ୱରାଜ

  • ନୂଆଦିଲ୍ଲୀ ଆସନରୁ ବିଜେପି ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ପ୍ରାଥୀ କରିଛି
  • ବିଜେପିକୁ ଟକ୍କର ଦେବାକୁ ଆପ୍ ଏଠାରେ ବିଧାୟକ ସୋମନାଥ ଭାରତୀଙ୍କୁ ପ୍ରାର୍ଥୀ କରିଛି

ହର୍ଷ ମଲହୋତ୍ରା ବନାମ କୁଳଦୀପ କୁମାର

  • ପୂର୍ବ ଦିଲ୍ଲୀ ଆସନରୁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଟିକେଟ କାଟି ହର୍ଷଙ୍କୁ ଟିକେଟ ଦେଇଛି
  • ଆମ ଆଦମୀ ପାର୍ଟି ବିଧାୟକ କୁଳଦୀପ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି

ନିର୍ବାଚନ ଜିତିବାକୁ ଦିଲ୍ଲୀରେ ଏକମାତ୍ର ପ୍ରାର୍ଥୀ ଭାବେ ମନୋଜ ତିୱାରୀଙ୍କୁ ରିପିଟ୍ କରିଛି ବିଜେପି । ସେହିପରି ଆପ୍ ଦୁଇ ବିଧାୟକଙ୍କୁ ଲୋକସଭା ମଇଦାନଙ୍କୁ ଓହ୍ଲାଇଛି । ଉଭୟ ବିରୋଧୀ ଓ ବିଜେପି ପାଇଁ ଦିଲ୍ଲୀ ଗୁରୁତ୍ୱ ବହନ କରୁଥିବାରୁ ଏଠାରେ ଅଧିକ ଆସନରେ ବିଜୟୀ ହେବାକୁ ଲାଗିପଡିଛନ୍ତି ନେତା ଓ କର୍ମୀ ।

ଏଥର ନିର୍ବାଚନ ଲଢୁଥିବା ବିଜେପିର ଚର୍ଚ୍ଚିତ ଚେହେରା ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର । ଦୁଇ ଥର ରାଜ୍ୟସଭାରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପ୍ରାର୍ଥୀ ହୋଇଛନ୍ତି । ଏଥିର ନିର୍ବାଚନର ଫଳାଫଳ ତାଙ୍କର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା କୁହାଯାଉଛି । ସେହିପରି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁଣି ଥରେ ପୁରୀରୁ ରିପିଟ୍ କରିଛି ବିଜେପି । କେନ୍ଦ୍ରରେ ସମ୍ବିତଙ୍କ ଭଲ ଦବଦବା ଥିଲେ ମଧ୍ୟ ନିର୍ବାଚନ ଜିତିନଥିବାରୁ ତାଙ୍କୁ ବଡ଼ ଦାୟିତ୍ୱ ମିଳିପାରୁନାହିଁ । ତେଣୁ ସମ୍ବିତଙ୍କ ପାଇଁ ଏହି ନିର୍ବାଚନ ଗୁରୁତ୍ୱ ବହନ କରୁଛି । ଏହାଛଡା ବିଜେପିର ମେନକା ଗାନ୍ଧୀ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ୍ ଗଙ୍ଗୋପାଧାୟ, ନବୀନ ଜିନ୍ଦଲ, ପିଡିପିର ମେହେବୁବା ମୁଫତୀଙ୍କ ଭଳି ଚର୍ଚ୍ଚିତ ଚେହେରା ଏଥର ନିର୍ବାଚନ ମଇଦାନରେ ଅଛନ୍ତି ।

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଦେଶରେ ୪୮୬ ଆସନ ପାଇଁ ମତଦାନ ଶେଷ ହୋଇଛି । ଜୁନ ୧ ରେ ସପ୍ତମ ପଯ୍ୟାୟ ନିର୍ବାଚନ ପରେ ଜୁନ ୪ ରେ ଫଳାଫଳ ପ୍ରକାଶ ପାଇବ । ଆଉ ଫଳାଫଳରୁ ହିଁ ଜଣାପଡିବ କ’ଣ ରହିଛି ଭୋଟରଙ୍କ ମୁଡ ।