ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି । ନେତା ଓ ବରିଷ୍ଠ ଅଧିକାରୀ ମଧ୍ୟ ଦେଲେ ଭୋଟ ।

48

କନକ ବ୍ୟୁରୋ: ଭୋଟ୍ ଦେବା ଯେମିତି ପ୍ରତିଟି ନାଗରିକଙ୍କ ଅଧିକାର, ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ସେମିତି ପ୍ରତିଟି ନାଗରିକର ଦାୟିତ୍ୱ । ଭୋଟ୍ ଖଣ୍ଡେ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ବଡ଼ ବଡ଼ ଚେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରମୁଖ ନିଜ ମତ ସାବ୍ୟସ୍ତ କରିଛନ୍ତି ।

ଭୁବନେଶ୍ୱରର ଏରୋଡ୍ରାମ୍ ପ୍ରାଇମେରୀ ସ୍କୁଲର ୧୧୪ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ଭୋଟ୍ ଦେବା ସହ ଗଣତନ୍ତ୍ରର ପର୍ବରେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଅପିଲ୍ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ଦେଖି ଉପସ୍ଥିତ ଜନତାଙ୍କ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତୃତୀୟ ପର୍ଯ୍ୟାୟରେ ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ୫୯ ନମ୍ବର ବୁଥରେ ଭୋଟ ଦେଇଛନ୍ତି ଧର୍ମେନ୍ଦ୍ର । ସାଥିରେ ଆସିଥିଲେ ପତ୍ନୀ ମୃଦୁଳା ଠାକୁର । ଏହି ଅବସରରେ, ନିର୍ବାଚନରେ ବିଜେପିର ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ଭୁବନେଶ୍ୱରରେ ନିଜ ମତସାବ୍ୟସ୍ତ କରିଛନ୍ତି । ସକାଳୁ ସକାଳୁ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି । ସେହିପରି ସୋସିଆଲ ମିଡ଼ିଆରେ ଫଟୋ ମଧ୍ୟ ସେୟାର କରିଛନ୍ତି । ତା ସହିତ ବିଜେଡି ନେତା ଭି.କେ ପାଣ୍ଡିଆନ୍ ଭିନ୍ନ ଏକ ଢ଼ଙ୍ଗରେ ଆସି ଭୋଟ୍ ଦେଇଛନ୍ତି । ଅଟୋରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଛନ୍ତି । ଏହି ଅବସରରେ ପାଣ୍ଡିଆନ୍ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଅଛି । ସମସ୍ତେ ଭୋଟ୍ ଦେବା ଜରୁରୀ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ୍ ।

ସାରା ରାଜ୍ୟର ନିର୍ବାଚନ ଦାୟିତ୍ୱ ସମ୍ଭାଳୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ, ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି । ରାଜ୍ୟର ସମସ୍ତ ଭୋଟରଙ୍କୁ ନିଶ୍ଚିତ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି । ସେହିପରି ଭୁବନେଶ୍ୱରରେ ଭୋଟ୍ ଦେବା ପାଇଁ ଲୋକଙ୍କ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି ବୋଲି କହିଛନ୍ତି । ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପତ୍ନୀ ଉଷା ପାଢ଼ୀଙ୍କ ସହ ଆସି ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛି ।