ଛୋଟପିଲାଙ୍କୁ କରୋନା ସଂକ୍ରମଣ ବଢ଼ାଇଲା ଚିନ୍ତା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ।

210

କନକ ବ୍ୟୁରୋ: ଚିନ୍ତା ବଢାଇଲା ଶିଶୁ, କିଶୋରଙ୍କୁ କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ୭୧ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ଭିତରେ ୬୬ ଜଣ ଶିଶୁ ଓ କିଶୋର ଅଛନ୍ତି । ତେବେ ଗତକାଲି ରାୟଗଡାରୁ ଚିହ୍ନଟ ହୋଇଥିବା ୬୪ କରୋନା ପଜିଟିଭ ପିଲାଙ୍କ ବାବଦରେ ଆଜି ସରକାରୀ କୋଭିଡ ଡ୍ୟାସବୋର୍ଡରେ ସୂଚନା ଦିଆଯାଇଛି ।

ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି । ଖବର ପାଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ୍ ପକ୍ଷରୁ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୪୪ଜଣ ଛାତ୍ରଙ୍କ ନମୂନା ପଜିଟିଭ ବାହାରିଛି । ସଂକ୍ରମଣ ନବ୍ୟାପିବା ପାଇଁ ହଷ୍ଟେଲ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିପରି ବିଷମକଟକ ବ୍ଲକ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟରେ ମଧ୍ୟ ୨୦ ଜଣ ଛାତ୍ର କରୋନା ପଜିଟିଭ ହୋଇଛନ୍ତି । ରାୟଗଡା ବାଦ୍ ବାଲଶ୍ୱର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।