ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା । ତଥାପି ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାର ଚାଷୀଙ୍କ ମନରେ ଛନକା ।

86

କନକ ବ୍ୟୁରୋ: ଓଡିଶାରେ ବାତ୍ୟା ଅସାନିର ପ୍ରଭାବ କେତେ ପଡିବ, ତାହା ସମ୍ପୂର୍ଣ୍ଣ ଆକଳନ ହୋଇନଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଏକ ପ୍ରକାର ନିଶ୍ଚିତ । ଏ ନେଇ ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ସତର୍କ କରାଯିବା ପରେ ଆତଙ୍କିତ ହୋଇପଡିଛନ୍ତି ଚାଷୀ ।

ଫନି, ଫାଇଲିନ୍, ଭଳି ଏକାଧିକ ବାତ୍ୟାର କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଆଉ ଏକ ବାତ୍ୟା ନାଁ ଶୁଣି ଚମକି ପଡିଛନ୍ତି । ବାତ୍ୟା ଅସାନି ଓଡିଶା ଉପକୂଳରେ ମାଡ ହେବ କି ନାହିଁ ସ୍ପଷ୍ଟ ହୋଇନଥିଲେ ବି ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଚାଷୀ ମନରେ ଛନକା ପଶିଛି । ଆଉ ଏଭଳି ସ୍ଥିତିରେ ଚାଷ ଜମିରେ ଯେଉଁ ଫସଲ ଅଛି ତାକୁ ଅମଳ କରିବାରେ ଲାଗି ପଡିଛନ୍ତି । ପିପିଲିରେ ଜମିରେ ଥିବା ପନିପରିବା ଫସଲକୁ ବାତ୍ୟାରେ ନଷ୍ଟ ହେବା ପୂର୍ବରୁ ତୋଳି ଆଣିଛନ୍ତି ଚାଷୀ ପରିବାର । ସମ୍ପୂର୍ଣ୍ଣ ଉଜୁଡିଯିବା ପୂର୍ବରୁ ପାକଳ ହୋଇନଥିଲେ ବି ଧାନକୁ କାଟି ନେଇଛନ୍ତି ।

ତେବେ କେବଳ ଚାଷୀ ନୁହଁନ୍ତି ଭଲ ଦିପଇସା ରୋଜଗାର କରିବା ଆଶାରେ ଶୁଖୁଆ ବ୍ୟବସାୟ ଆରମ୍ଭ କରିଥିବା ବାଲେଶ୍ୱର ଜିଲ୍ଳା ବାହାନଗା ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଚିନ୍ତାରେ ପଡିଛନ୍ତି । ବର୍ଷା ହେଲେ ଅଧା ଶୁଖିଥିବା ଶୁଖୁଆ ନଷ୍ଟ ହୋଇଯିବା ଆଶଙ୍କାରେ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଜିରୋ କାଜୁଆଲଟି ଲକ୍ଷ୍ୟ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗୋପ ଓ କୋଣାର୍କ ଅଞ୍ଚଳରେ ଅଗ୍ନିଶମ ବାହିନୀ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ଯାଞ୍ଚ କରାଯାଇଛି । ଏଥିସହ ଲୋକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ସେ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଅଗ୍ନିଶମ କର୍ମଚାରୀ ।

ସେପଟେ ଅସ୍ତରଙ୍ଗରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ପରଖିବା ସହ କଟର ମେସିନ୍, ଜେନେରେଟର, ଆସ୍କା ଲାଇଟ୍, ଲାଇଫ ଜ୍ୟାକେଟ୍ର ଯାଞ୍ଚ କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ ।