କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ? ଘଂଟ ବାଡ଼େଇ ଛାତ୍ର କଂଗ୍ରେସର ପ୍ରତିବାଦ

68

କନକ ବ୍ୟୁରୋ: ୨୦୧୮ ମସିହାରୁ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଲିଙ୍ଗଡୋ କମିଶନ ଆଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଘଂଟ ବାଡେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସର ଛାତ୍ର ସଂଗଠନ । ରାଜ୍ୟର ବିଭିନ୍ନ ସ୍ଥାନରେ କଲେଜ ସମ୍ମୁଖରେ ଏହିଭଳି ଅଭିନବ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଦେବରାୟ କଲେଜ ସାମ୍ନାରେ ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଛି ।

ସେପଟେ ଛାତ୍ର ସଂସଦ ନିର୍ବାଚନକୁ ଅଟକାଇବା ପଛରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ ଟାର୍ଗେଟ କରିଛି ବିପେଜି ଯୁବମୋର୍ଚ୍ଚା । ଓଡିଶା ସମାଜକୁ ନେତୃତ୍ୱ ବିହୀନ କରିବା ପାଇଁ ଜଣେ ବ୍ୟୁରୋକ୍ରାଟଙ୍କ ଜରିଆରେ ଷଡଯନ୍ତ୍ର କରୁଥିବା ଅଭିଯୋଗ କରୁଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ନାଚୁରାଲ ଲିଡରସିପକୁ ହତ୍ୟା କରାଯାଉଥିବା ବିଜେପି ଅଭିଯୋଗ କରିଛି । ଲିଙ୍ଗଡୋ କମିଶନଙ୍କ ଆଳ କରି କ୍ୟାମ୍ପସ କମିଟି ଜରିଆରେ ବିଜେଡିର ଛାତ୍ର ସଂଗଠନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ କବଜା କରୁଥିବା ଅଭିଯୋଗ ହୋଇଛି ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଚଳିତବର୍ଷ ଛାତ୍ର ସଂଗଠନ ନିର୍ବାଚନ ହେବ କି ନାହିଁ ସେନେଇ ଠିକ ସମୟରେ ଠିକ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ବିଜେଡି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି । ଏ ସଂପର୍କରେ ଉଚିତ ଫୋରମରେ ଦାବି ରଖିଛି ବିସିଜେଡି ।

ତେବେ ବିରୋଧୀ ପ୍ରଶ୍ନ କରୁଛନ୍ତି, କ୍ୟାମ୍ପସରେ ବିଶୃଙ୍ଖଳା ରୋକିବାକୁ ଗତ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ କରାଇ ଦିଆଯାଉ ନାହିଁ । ହେଲେ ଏହା ସତ୍ୱେ କ୍ୟାମ୍ପସ ବିଶୃଙ୍ଖଳା ବନ୍ଦ ହେଲା କି? ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷକ ପଦବୀ ପୂରଣ ହୋଇପାରିଲା କି ? ସରକାରୀ କଲେଜରୁ ଅଧିକ ଆଇଏଏସ ବାହାରିଲେ କି? ବିଭିନ୍ନ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ବଢିଲା କି?