ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି । ଏପଟେ ଷ୍ଟାଲିନଙ୍କ ବୟାନକୁ ସମର୍ଥନ କଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପୁଅ

57

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକର କିଛି ଘଣ୍ଟା ପରେ ‘ଇଣ୍ଡିଆ’ର ମେଣ୍ଟର ସହଯୋଗୀ ଏମକେ ଷ୍ଟାଲିନଙ୍କ ପୁଅ ଏଭଳି ଏକ ପ୍ରସଙ୍ଗ ଛିଡ଼ା କରିଦେଇଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଛି । ସେ କହିଛନ୍ତି, କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ ବରଂ ଏହାକୁ ମୂଳପୋଛ କରିବାକୁ ପଡ଼ିବ । ଉଦାହରଣସ୍ୱରୂପ ମଶା, ଡେଙ୍ଗୁ, ମାଲେରିଆ, କରୋନା । ଆମେ ଏହାକୁ ବିରୋଧ ନୁହେଁ, ବରଂ ଶେଷ କରିବା ଦରକାର । ସନାତନ ଧର୍ମ ଠିକ୍ ସେହିପରି । ସନାତନ ଧର୍ମକୁ ବିରୋଧ କରିବା ବଦଳରେ ଏହାକୁ ଶେଷ କରାଯିବା ଦରକାର ।

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ଦ୍ୱାରା ଦିଆଯାଇଥିବା ଏହି ବୟାନକୁ ନେଇ ସରଗରମ ରାଜନୀତି । ଭାରତୀୟ ଜନତା ପାର୍ଟି ଏହାକୁ ହିନ୍ଦୁ ଧର୍ମର ଅପମାନ ବୋଲି କହିଥିବା ବେଳେ ଇଣ୍ଡିଆ ମେଣ୍ଟର କିଛି ନେତା ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କେବଳ ଏତିକି ନୁହେଁ, ଉଦୟନିଧି ଷ୍ଟାଲିନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି । ପ୍ରସଙ୍ଗକୁ ନେଇ ସିଧାସିଧା କଂଗ୍ରେସ ଓ ଡିଏମକେକୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍ ଶାହ । ଗୃହମନ୍ତ୍ରୀ କହିଛନ୍ତି…

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଓ ଡିଏମକେ ନେତାମାନେ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛନ୍ତି
  • ଏମାନେ ଆମର ସଂସ୍କୃତି, ଇତିହାସ ଓ ସନାତନ ଧର୍ମକୁ ଅପମାନ କରିଛନ୍ତି
  • ଏମାନେ ଭୋଟ୍ ବ୍ୟାଙ୍କ ପ୍ରଲୋଭନରେ ସଂଖ୍ୟାଲଘୁଙ୍କ ପ୍ରଥମ ଅଧିକାର ଛିନ୍ନ କରିଛନ୍ତି
  • ରାହୁଲ ଗାନ୍ଧୀ କହିଥିଲେ, ଲସ୍କର-ଏ-ତୋୟବା ଠାରୁ ଘାତକ ହିନ୍ଦୁ ସଂଗଠନ
  • ବିରୋଧୀ ମେଣ୍ଟ ତୁଷ୍ଟିକରଣ ରାଜନୀତି ପାଇଁ କୌଣସି ସ୍ତରକୁ ଯାଇପାରନ୍ତି

ଷ୍ଟାଲିନଙ୍କୁ କଂଗ୍ରେସ ନେତାଙ୍କ ସମର୍ଥନ

ବିଜେପି କହିଲା, ସବୁ ଭୋଟ୍ ବ୍ୟାଙ୍କ ରାଜନୀତି

ସେପଟେ ଉଦୟନିଧିଙ୍କ ବୟାନକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ଓ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁ ଧର୍ମ ଆପଣଙ୍କୁ ସମାନ ଅଧିକାର ଦିଏ ନାହିଁ କିମ୍ବା ଆପଣଙ୍କ ସହ ମଣିଷ ଭଳି ବ୍ୟବହାର କରେ ନାହିଁ, ତାହା ରୋଗ ସହ ସମାନ । ସେହିପରି କଂଗ୍ରେସ ସାଂସଦ ପି. ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ ଉଦୟନିଧିଙ୍କ ଟିପ୍ପଣୀକୁ ସମର୍ଥନ କରିଛନ୍ତି । କହିଛନ୍ତି, ସନାତନ ଧର୍ମ କାଷ୍ଟ ହାଇରାରକିକାଲ ସୋସାଇଟି ପାଇଁ ଏକ କୋଡ୍ ବ୍ୟତୀତ ଆଉ କିଛି ନୁହେଁ । ସେପଟେ ପ୍ରିୟାଙ୍କଙ୍କ ବୟାନକୁ କାଉଣ୍ଟର କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଯେଉଁମାନେ ସନାତନ ଧର୍ମକୁ ଅପମାନ କରୁଛନ୍ତି, ସେମାନେ କେବଳ ଭୋଟ୍ ବ୍ୟାଙ୍କ ହାତେଇବାକୁ ଚାହୁଁଛନ୍ତି ।

ତେବେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନ ବିରୋଧୀ ମେଣ୍ଟକୁ ସୁହାଇବା ନା କ୍ଷତି ପହଞ୍ଚାଇବା, ତାହା ସମୟ କହିବ । ଏପଟେ ବିଜେପି ଏହାକୁ ପ୍ରସଙ୍ଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି ।