ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍: ୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ

72

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦେବ ବିଜେପି । ୧୦୮ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ସରକାରଙ୍କ ବିଫଳତା ଓ ସଚିବଙ୍କ ସଭା ଭଳି ପ୍ରସଙ୍ଗକୁ ଚାର୍ଜସିଟ୍ ସ୍ଥାନ ଦିଆଯାଇଛି । ଆଉ ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ବିଜେପି ପହଁଚିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ସେପଟେ ବିଜେପି ଚାର୍ଜସିଟ୍କୁ ନେଇ ବିଜେଡି କହିଛି ନିର୍ବାଚନ ସମୟରେ ଏଭଳି ସବୁ ଅଭିଯୋଗ କରନ୍ତି ବିରୋଧୀ, ହେଲେ ବିଜେଡି ସହ ଅଛନ୍ତି ଓଡିଶାବାସୀ ।

ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ଏଥିପାଇଁ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ପ୍ରସଙ୍ଗକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ଏଥିରେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି,
କେଉଁ କ୍ଷମତା ବଳରେ ସଚିବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି?

କାହିଁକି ଓଡଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦିଆଯାଉଛି? ଏହାକୁ ପ୍ରସଙ୍ଗ କରିବ ବିଜେପି । ଏହାଛଡା କୋଇଲା ଦୁର୍ନୀତି, ଲୁହାପଥର ଦୁର୍ନୀତି ଆଦି ଚାର୍ଜସିଟ୍ରେ ସ୍ଥାନ ପାଇଛି
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିଛି । ପଂଚାୟତଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି କହିଛନ୍ତି ଜୟନାରାୟଣ ।

ବିଜେପିର ଚାର୍ଜସିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏଭଳି ଅଭିଯୋଗ କରୁଛନ୍ତି ବିରୋଧୀ । ବିଜେଡି ଲୋକଙ୍କ ସହ ରହିଛି । ପୂର୍ବରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ଚାର୍ଜସିଟ୍କୁ ଆଳ କରି ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଥିବା ବିଜେଡି ବିଧାୟକ କହିଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ଧୀରେ ଧୀରେ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ବିଜୁଳି ଦୁର୍ନୀତି, ଡେଙ୍ଗୁ ନିୟନ୍ତ୍ରଣରେ ବିଏମ୍ସିର ବିଫଳତା, ଟ୍ୱିନ୍ ସିଟିରେ ମୁକୁଳା ଡ୍ରେନ, ରାଜଧାନୀ ଉପକଣ୍ଠରେ ଜମି ଦୁର୍ନୀତି, ଦରଦାମ ନିୟନ୍ତ୍ରଣରେ ବିଫଳତା, ଚାକିରି ସ୍କାମ୍ ଓ ନବ ଦାସଙ୍କ ହତ୍ୟାକାଣ୍ଡର ଚାର୍ଜସିଟ୍ ସାର୍ବଜନୀନ କରିବା ଭଳି ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ ଯୋଜନା କରିଛି ବିଜେପି ।