ବିଜେଡି କାହାକୁ କରିବ ପ୍ରାର୍ଥୀ ? ନବୀନଙ୍କୁ ଭେଟିଲେ ବରିହାଙ୍କ ସମର୍ଥକ

337

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା । ଏସବୁ ଭିତରେ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁରର ବିଂଝାଲ ସମାଜ । ଉପନିର୍ବାଚନରେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ତିଳୋତମା ବରିହାଙ୍କୁ ପ୍ରାର୍ଥୀ କରିବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ବି ସେମାନଙ୍କ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି, ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ ଦେବାକୁ ନୂଆ ରଣନୀତି କରିଛି । ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟରଂଜନ ବରିହାଙ୍କ ବଡଝିଅ । ସେହିପରି ଦିବଗଂତ ବିଧାୟକଙ୍କ ପତ୍ନୀ ପତ୍ନୀ ତିଳୋତ୍ତମା ବରିହା, ପୁତୁରା ବୋହୁ ମାଧବୀ ସିଂ ବରିହାଙ୍କ ନାଁ ମଧ୍ୟ ପ୍ରାର୍ଥୀ ଦୌଡରେ ରହିଛି ।

ପ୍ରଦୀପ ପୁରୋହିତଙ୍କୁ ବିଜେପିରୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପରେ ରବିବାର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ସହ ଯାଇ ମନ୍ଦିରରେ ଭଗବାନଙ୍କୁ ସାଂଟାଙ୍ଗ ପ୍ରଣାମ କରି ଶରଣ ପଶିଛନ୍ତି ପ୍ରଦୀପ ଏବଂ କାଲି ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତି କରିଛନ୍ତି । ଅନ୍ୟପଟେ ଧାମନଗର ଶୈଳୀରେ ପଦ୍ମପୁରରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି ଦଳ । କୁହାଯାଉଛି ଖୁବ୍ ଶୀଘ୍ର ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆସି ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିବେ । ଆଉ କେମିତି ଧାମନଗରର ବିଜୟଧାରାକୁ ବଜାୟ ରଖିହେବ ସେନେଇ ଦଳୀୟ ନେତା ଓ କର୍ମୀଙ୍କ ଟିପ୍ସ ଦେବେ ।

ଆସନ୍ତା ୧୭ତାରିଖରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ସତ୍ୟଭୂଷଣ ପୁରୁଣା ଚେହେରା ହୋଇଥିବାରୁ ଦଳୀୟ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବେ ବୋଲି କହିଛନ୍ତି କଂଗ୍ରେସ ନେତା । ପଦ୍ମପୁର ନିର୍ବାଚନରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ଓ କଂଗ୍ରେସ ଭୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେଣୁ ବିଜେଡିର ପ୍ରାର୍ଥୀ ଘୋଷଣା ଓ କଂଗ୍ରେସ ଭୋଟ ଉପରେ ରହିଛି ସମସ୍ତଙ୍କ ନଜର ।