ବ୍ଲାକମେଲର ଅର୍ଚ୍ଚନା ଫର୍ମୁଲା: କର୍ଣ୍ଣାଟକର ପ୍ରୀତି ଦେଶାଇଙ୍କୁ ଭୁବନେଶ୍ୱରରୁ ଉଠାଇନେଲା ରାଜସ୍ଥାନ ପୁଲିସ

130

ସୁନ୍ଦର ଚେହେରା ଥିଲା ଆକର୍ଷଣ, ମାଧ୍ୟମ ପାଲଟିଥିଲା ସୋସିଆଲ ମିଡ଼ିଆ
ମାୟାବିନୀର ଆସୁଥିଲା ଫ୍ରେଣ୍ଡ ରିକୁଏଷ୍ଟ, ପରେ ଚାଟିଂ ଓ ଡେଟିଂ
ଜାଲରେ ଫଶୀ ଯିବା ପରେ ବୁଣାଯାଉଥିଲା ବ୍ଲାକ୍ମେଲିଂର ନକ୍ସା
ଚର୍ଚ୍ଚାରେ ଆଉ ଜଣେ ଅର୍ଚ୍ଚନାଙ୍କ ବ୍ଲାକ୍ମେଲିଂ ଷ୍ଟାଇଲ୍ !
କନକ ବ୍ୟୁରୋ: ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାହାଣୀକୁ ଓଡ଼ିଶା ଭୁଲିନଥିବା ବେଳେ ଆଉ ଜଣେ ମହିଳାଙ୍କ କାରନାମା ସାମ୍ନାକୁ ଆସିଛି । ବଡ଼ ବଡ଼ ବ୍ୟବସାୟୀ ଓ ପୁଞ୍ଜିପତିଙ୍କୁ ଫାଶରେ ପକାଇ ଏହି ମହିଳା ଲୁଟୁଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳର ଜଣେ ବ୍ୟବସାୟୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଏହି ମାୟାବନୀଙ୍କୁ ଉଠାଇ ନେଇଛି ରାଜସ୍ଥାନ ପୁଲିସ୍ ।

କର୍ଣ୍ଣାଟକର ଏହି ମହିଳା ଜଣକ ଓଡ଼ିଶା, ରାଜସ୍ଥାନ ଏବଂ କର୍ଣ୍ଣାଟକ ସମେତ ଏକାଧିକ ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲା ଏହି ଯୁବତୀ । ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ କରିବା ପରେ ଶାରୀରିକ ସମ୍ପର୍କ କରୁଥିଲେ ଏହି ମହିଳା । ପରେ ଅନ୍ତରଙ୍ଗ ମୁହୁର୍ତର ଚିତ୍ରକୁ କ୍ୟାମେରାରେ କଏଦ କରି ଆରମ୍ଭ କରିଦେଉଥିଲେ ବ୍ଲାକ୍ମେଲିଂ ।

ରାଜସ୍ଥାନର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱରରେ ପ୍ରୀତି ଦେଶାଇକୁ ଠାବ କରିଥିଲା ରାଜସ୍ଥାନ ପୁଲିସ୍ । ଏମିତି କି ଏହି ମହିଳାଙ୍କ ବ୍ଲାକ୍ମେଲିଂର ଶିକାର ହୋଇ କିଛି ବ୍ୟକ୍ତି ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡ଼ିଛି । ବ୍ଲାକମେଲିଂର ଷ୍ଟାଇଲ ଅର୍ଚ୍ଚନ ନାଗଙ୍କ ସହିତ ମେଳଖାଇ ଯାଉଥିବା ବେଳେ ଏଭଳି ଘଟଣାକୁ ନେଇ ସାଧାରଣରେ ବି ପ୍ରତିକ୍ରିୟା ପ୍ରକାଶ ପାଉଛି । ସୂଚନା ଅନୁସାରେ ପ୍ରୀତି ଦେଶାଇ ନାମକ ଏହି ମହିଳା ଜଣକ ଏକାଧିକ ବ୍ୟକ୍ତିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।