ଟି-୨୦ ବିଶ୍ୱକପରେ ଆଜି ଭାରତର ଦ୍ୱିତୀୟ ମ୍ୟାଚ : ସିଡନୀରେ ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ

248

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ତେଣୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ବଡ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । କାରଣ ନେଦରଲାଣ୍ଡକୁ ବଡ ବ୍ୟବଧାନରେ ପରାଜୟ କଲେ ଭାରତର ରନରେଟ ବଢିବ ।

ଆଗାମୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହେଲେ ମଧ୍ୟ ସେମିଫାଇନାଲ ଦୌଡରେ ରହିବ ଭାରତ । ନେଦରଲାଣ୍ଡ ଓ ଭାରତ ମଧ୍ୟରେ ଏହା ହେଉଛି ପ୍ରଥମ ଟି-୨୦ ମୁକାବିଲା । ପୂର୍ବରୁ ୨୦୦୩ ଓ ୨୦୧୧ ବିଶ୍ୱକପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଦୁଇଟି ମ୍ୟାଚରେ ଭାରତ ବାଜିମାତ କରିଥିଲା । ତେଣୁ ନେଦରଲାଣ୍ଡକୁ ହରାଇବା ପାଇଁ ଭାରତ ପାଇଁ ଚାଲେଞ୍ଜ ନୁହେଁ, ବରଂ ବଡ ବ୍ୟବଧାନରେ ବିଜୟ ଅବଶ୍ୟକ । ହେଲେ ଚଳିତ ଟି-୨୦ ବିଶ୍ୱକପରେ ପୂର୍ବ ମ୍ୟାଚ ଗୁଡିକରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି ।

ଦୁଇ ଦୁଇ ଥର ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ କ୍ୱାଲିଫାଇଁ ରାଉଣ୍ଡରୁ ବିଦା ହୋଇଛି । ଇଂଲଣ୍ଡ ଭଳି ଦଳକୁ ଆର୍ୟଲାଣ୍ଡ ହରାଇ ସମସ୍ତଙ୍କୁ ଚମକେଇ ଦେଇଛି । ଏପରି ସ୍ଥିତିରେ ଭାରତକୁ ପରାଜିତ କରି ଚଳିତ ଟୁର୍ଣ୍ଣାମେଂଟରେ ବଡ ବିପର୍ଯ୍ୟୟ ଆଣିବାକୁ ଚେଷ୍ଟା କରିବ ନେଦରଲାଣ୍ଡ ଟିମ୍ । ତେଣୁ ଭାରତୀୟ ଦଳ ଆଜିର ମ୍ୟାଚକୁ ହାଲୁକାର ନନେଇ ସତର୍କତା ସହ ସଂପୂର୍ଣ୍ଣ ରଣନୀତିରେ ଖେଳିବାକୁ ପଡିବ ।

ସମ୍ଭାବ୍ୟ ଭାରତ ଦଳ : ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ ‌କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ୍‌, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ନେଦରଲାଣ୍ଡ୍ସ ଦଳ : ବିକ୍ରମଜିତ ସିଂହ, ମାକ୍ସ ଓଦାଉଦ, ବାସ୍‌ ଡି ଲିଡେ, କଲିନ୍‌ ଆକରମାନ୍‌, ଟମ୍‌ କୁପର, ସ୍କଟ୍‌ ଏଡ୍‌ୱାର୍ଡ୍ସ, ଟିମ୍‌ ପ୍ରିଙ୍ଗଲ୍‌, ଲୋଗାନ୍‌ ଭାନ୍‌ ବିକ୍‌, ସାରିଜ୍‌ ଅହମ୍ମଦ/ରଏଲଫ୍‌ ଭାନ୍‌ ‌ଡର୍‌ ମର୍ଭେ, ଫ୍ରେଡ୍‌ କ୍ଲାସେଁ, ପଲ୍‌ ଭାନ୍‌ ମିକିରେନ୍‌।