ମାଟ୍ରିକ ପଢୁଆ ସାଜିଥିଲେ ଡାକ୍ତର : ଦେବଗଡରେ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିଲେ

364

କନକ ବ୍ୟୁରୋ : ବେଆଇନ ଭାବେ କ୍ଲିନକ ଖୋଲିଥିଲେ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ହେଲେ ଡାକ୍ତର ସାଜିଥିଲେ । ଚିକିତ୍ସା ନାଁରେ ଲୋକଙ୍କୁ ଦୀର୍ଘଦିନ ହେଲା ଠକେଇ କରୁଥିଲେ । ଏଭଳି ଅଭିଯୋଗ ପାଇବା ପରେ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ । ଦେବଗଡ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗାଁରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଏଥିସହ ବେଆଇନ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି ।

ଗିରଫ ନକଲି ଡାକ୍ତରଙ୍କ ନାଁ ପ୍ରଶାନ୍ତ ରାୟ ଓ ଘର ପଶ୍ଚିମବଙ୍ଗର କୋଲକାତା ରାଣାଘାଟ ଅଞ୍ଚଳରେ । ପୁଲିସର ତଦନ୍ତରୁ ଜଣାପଡିଛି ପ୍ରଶାନ୍ତ ମ୍ୟାଟ୍ରିକ ଯାଏଁ ପାଠ ପଢିଛନ୍ତି । କୋଲକାତାର ଏକ ଅନୁଷ୍ଠାନରୁ ୧୫୦୦ ଟଙ୍କାରେ ଏକ ନକଲି ସାର୍ଟିଫିକେଟ କିଣି ନିଜକୁ ଡାକ୍ତର ପରିଚୟ ଦେଇ ଦେବଗଡର କଦମ୍ବଦର୍ହ ଗାଁରେ କ୍ଲିନିକ ଖୋଲିଥିଲେ । ଦୀର୍ଘ ବର୍ଷ ଧରି ଡାକ୍ତର ପରିଚୟ ଦେଇ ପ୍ରଶାନ୍ତ ଅଞ୍ଚଳବାସୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି ।