ଟ୍ରେନ୍ ଦୁର୍ଘଟଣା ପାଇଁ ଇଣ୍ଟରଲକିଂ ସିଷ୍ଟମକୁ ଦାୟୀ କଲେ ରେଳମନ୍ତ୍ରୀ, ଜାଣନ୍ତୁ କଣ ଏହି ଇଣ୍ଟରଲକିଂ ସିଷ୍ଟମ ?

6,089

କନକ ବ୍ୟୁରୋ : ଇଲେକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମରେ ସମସ୍ୟା ସୃଷ୍ଟି ହେବାରୁ ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଟରଲକିଂ ସିଷ୍ଟମ କ’ଣ, ଏହା କିପରି କାମ କରେ, ଏଥିରେ ତ୍ରୁଟି କିପରି ହେଲା, ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଏହାକୁ ନେଇ ଆଲୋଚନା ଚାଲିଛି ।

ଇଲେକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମ ଏମିତି ଏକ ଟେକ୍ନୋଲୋଜି, ଯାହା ଉପରେ ବହୁ ମାତ୍ରାରେ ରେଳ ସୁରକ୍ଷା ନିର୍ଭର କରିଥାଏ । ଟ୍ରାକ୍ରେ ଟ୍ରେନ୍ ଚାଲିବା, ଟ୍ରାକ ବଦଳାଇବା, ଆଗକୁ ଯିବା କିମ୍ବା ଗାଡ଼ିକୁ ଅଟକାଇବା ପାଇଁ ଟ୍ରେନକୁ ସିଗ୍ନାଲ୍ ଦିଆଯିବା । ଏସବୁର ସମନ୍ୱୟ ରଖିଥାଏ ଇଂଟରଲକିଂ ସିଷ୍ଟମ । ତେଣୁ ରେଳ ଚଳାଚଳ ପାଇଁ ଏହି ଟେକ୍ନୋଲୋଜି ଅତି ଗୁରୁତ୍ୱପୂର୍ଣ୍ଣ ।

ନଜର ପକାଇବା ଇଲେକ୍ଟ୍ରୋନିକ୍ ଇଂଟରଲକିଂ ସିଷ୍ଟମ କ’ଣ?
ରେଳ ଜଙ୍କ୍ସନ୍, ରେଳ ଷ୍ଟେସନ୍ ଓ ସିଗ୍ନାଲ ପଏଂଟ ନିକଟରେ ରହିଥାଏ
ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ଯିବା ପାଇଁ ଟ୍ରେନକୁ ସାହାଯ୍ୟ କରିଥାଏ
ଟ୍ରାକ୍ ପରିବର୍ତ୍ତନ ଓ ସିଗ୍ନାଲ ମଧ୍ୟରେ ସମନ୍ୱୟ ରଖେ
ଧାରଣାରେ ଅନ୍ୟ ଟ୍ରେନ ଅଛି କି ନାହିଁ ସୂଚନା ଦେଇଥାଏ
ଏହି ଆଧାରରେ କେଉଁ ଟ୍ରେନ, କେଉଁ ଲାଇନ୍ରେ ଯିବ, ସ୍ଥିର କରିଥାନ୍ତି ଷ୍ଟେସନ ମାଷ୍ଟର
ଏହାପରେ ପୂରା ବ୍ୟବସ୍ଥା ଲକ୍ ହୋଇଥାଏ
ସେହି ଅନୁସାରେ ଟ୍ରାକ୍ ପରିବର୍ତ୍ତନ ଏବଂ ସିଗ୍ନାଲ ଆଦି ଦିଆଯାଏ
କମ୍ପୁଟର ଓ ନେଟ୍ୱର୍କିଂ ଜରିଆରେ ଏହା ନିୟନ୍ତ୍ରିତ ହୋଇଥାଏ
ଏହି ବ୍ୟବସ୍ଥା ବହୁ ପରୀକ୍ଷିତ ଓ ସଫଳ ବୋଲି କୁହାଯାଏ

ପୂର୍ବରୁ ମେକାନିକାଲ୍ ଇଂଟରଲକିଂ ସିଷ୍ଟମ ଦ୍ୱାରା ଟ୍ରେନକୁ ନିୟନ୍ତ୍ରିତ କରାଯାଉଥିଲା । ଏବେ କିନ୍ତୁ ରେଳ ସୁରକ୍ଷା ପାଇଁ ଏହି ଡିଜିଟାଲ୍ ଟେକ୍ନୋଲୋଜି ବା ଇଲେକ୍ଟ୍ରୋନିକ୍ ଇଂଟରଲକିଂ ସିଷ୍ଟମ ବହୁଳ ଭାବେ ବ୍ୟବହାର କରାଯାଉଛି । ଗତବର୍ଷ ସୁଦ୍ଧା ଦେଶର ୨,୮୮୮ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ରହିଛି । ସାଧାରଣତଃ ଭାବେ ଏଥିରେ ସମସ୍ୟା ସୃଷ୍ଟି ହୋଇନଥାଏ । ତେଣୁ ପ୍ରଶ୍ନ ଉଠୁଛି
ଇଲେକ୍ଟ୍ରୋନିକ୍ ଇଂଟରଲକିଂ ସିଷ୍ଟମରେ କାହିଁକି ହେଲା ତ୍ରୁଟି?
ମେସିନ୍ରେ ତ୍ରୁଟି ନା’ ମନୁଷ୍ୟକୃତ ତ୍ରୁଟି?
ମନ୍ଦ ଉଦ୍ଦେଶ୍ୟ ରଖି ପ୍ରୋଗ୍ରାମିଂରେ ଭୁଲ କରାଯାଇଛି କି?
ଦୁର୍ଘଟଣା କାହିଁକି ହେଲା, ରେଲୱେ ସଫ୍ଟି କମିଶନର ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଦେବେ । ଏହା ପରେ ହିଁ ସାମନାକୁ ଆସିବ ପ୍ରକୃତ କାରଣ?