ବାହାନଗା ଟ୍ରେନ୍ ଟ୍ରାଜେଡି: ଆଖି ବୁଜିଛନ୍ତି ୨୭୫ ଜଣ, ଏପର୍ଯ୍ୟନ୍ତ ୧୦୮ ମୃତଦେହଙ୍କ ହେଇପାରିଛି ପରିଚୟ ଚିହ୍ନଟ । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା  

257

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣ ମୃତ୍ୟୁବରଣ କରିଛନ୍ତି । ତା ଭିତରୁ ୧୦୮ ଜଣ ମୃତଦେହଙ୍କ ଚିହ୍ନଟ ହୋଇଥିବାବେଳେ, ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ତଥ୍ୟକୁ ନେଇ ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ତାଙ୍କ କହିବା ମୁତାବକ,  ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚିହ୍ନଟ କରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ୨୭୫ ଟି ମୃତଦେହ ମଧ୍ୟରୁ ୧୯୦ ଟି ଭୁବନେଶ୍ୱରକୁ ଅଣାଯିବ । ତେବେ ୧୮୦ ଟି ମୃତଦେହ  ଭୁବନେଶ୍ୱରରେ ପହଞ୍ଚି ସାରିଥିବାବେଳେ ଆଉ ୧୦ ଟି ମୃତଦେହ ଖୁବଶୀଘ୍ର ପହଞ୍ଚିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଅନ୍ୟପଟେ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଏବଂ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚିହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି । ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧିକ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ ମୁଖ୍ୟ ଶାସନ ସଚିବ ଖଣ୍ଡନ କରିଛନ୍ତି । ଏହାସହ ସମସ୍ତ କାର୍ୟ୍ୟ ସାମ୍ବାଦିକଙ୍କ ସାମ୍ନାରେ କରାଯାଇଛି ଓ ଜନସାଧାରଣଙ୍କ ସାମ୍ନାରେ ହୋଇଛି, ଏଥିରେ ଲୁଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।