ଚିନ୍ତା ବଢାଇଲା ଆମେରିକାର ଗୁଇନ୍ଦା ରିପୋର୍ଟ । ପୁଣି ପାକିସ୍ତାନ ଉପରେ ମୋଦୀ କରିପାରନ୍ତି ସର୍ଜିକାଲ ଷ୍ଟ୍ରାଇକ୍ !

137

କନକ ବ୍ୟୁରୋ : ସୀମା ଓ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଉଗ୍ର ରୂପ ନେଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୂବଭଳି ପାକିସ୍ତାନ ଉପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବ । ସୀମାକୁ ନେଇ ଚୀନ ସହ ଚାଲିଥିବା ବିବାଦ ମଧ୍ୟ ଯୁଦ୍ଧର ରୂପ ନେବ । ଏଭଳି କିଛି ରିପୋର୍ଟ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା । ଯଦି ପାକିସ୍ତାନ ଭାରତରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର କରେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ବିରୋଧରେ ବଡ ମିଲିଟାରୀ ଅପରେସନ କରିବେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଦିର୍ଘଦିନର ବିବାଦର ସମାଧାନ ପାଇଁ ମଧ୍ୟସ୍ତି କରିବାକୁ କହିଛି ଆମେରିକା । କୁଟନୀତି ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ସମାଧାନକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତିି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍ ପ୍ରାଇସ୍ ।

ସେପଟେ ଭାରତ ଓ ଚୀନ୍ ସମ୍ପର୍କକୁ ନେଇ ଆମେରିକା ଗୁଇନ୍ଦା ରିପୋର୍ଟ ବଡ଼ ଦାବି କରିଛି । ୨୦୨୦ ଗଲୱାନ ସଂଘର୍ଷ ପରେ ଉଭୟ ଦେଶ ସୀମାରେ ସେନା ଠୁଳ କରିବା ସହ ମିଲିଟାରୀ ଭତିଭୂମି ସଦୃଢ କରିବାରେ ଲାଗିପଡିଛନ୍ତି । ଯାହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ରୂପ ନେଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଯଦି ଯୁଦ୍ଧ ହୁଏ ତାହା ଆମେରିକୀୟ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ କୁହାଯାଇଛି । ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବହୁବାର ବୁଝାବଣା, କଥାବାର୍ତା ହୋଇଥିଲେ ବି ଚୀନ ଉପରେ ଭରସା କରିପାରୁନି ଭାରତ । ତେଣୁ ଏଲଏସିରେ ହାଇୱେ ନିର୍ମାଣ କରିବା ସହ ମିଲିଟାରି ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛି ଭାରତ ।