ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ନିର୍ବାଚନ ସଭାରେ ବିଜେପି କେନ୍ଦ୍ରୀୟ ନେତାଙ୍କୁ କଲେ ଟାର୍ଗେଟ । କହିଲେ, ଜବାବ ଦେବେ ଜନତା

89

କନକ ବ୍ୟୁରୋ: ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ଘନଘନ ପ୍ରଚାର । ଆଉ ପ୍ରଚାର ବେଳେ ସବୁଠି ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ବିଜେପି ନେତାଙ୍କ ଓଡ଼ିଶା ଗସ୍ତ କେବଳ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ । ସେମାନେ କେବଳ ୫ବର୍ଷରେ ଥରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବେଳେ ଓଡ଼ିଶା ସର୍ମ୍ପକରେ କିଛି ବି ଜାଣନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।

  • ନିର୍ବାଚନୀ ମଞ୍ଚରୁ ହିମନ୍ତ ବିଶ୍ୱଶର୍ମାଙ୍କୁ ଟାର୍ଗେଟ୍
  • କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ପଡ଼ିବ ମହଙ୍ଗା

ସେପଟେ ଓଡ଼ିଶାରେ ଘନଘନ ପ୍ରଚାର କରୁଥିବା ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଆପଣଙ୍କ ଗୁରୁଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରନ୍ତୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପାଣ୍ଡିଆନ । ଆହୁରି କହିଛନ୍ତି, ବାହାରୁ ବଡ଼ ବଡ଼ ନେତା ଆସି ନବୀନଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ଅପପ୍ରଚାର କରୁଛନ୍ତି, ଜନତା ତାଙ୍କୁ ଭୋଟ୍ ମାଧ୍ୟମରେ ଜବାବ ଦେବେ ।

ପ୍ରଚାର ବେଳେ ପାଣ୍ଡିଆନ ପୁଣି ବିଜେଡି ସରକାର ଗଢ଼ିବା କଥା ଦୋହରାଇଛନ୍ତି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ପରେ ପ୍ରଥମେ ତିନୋଟି ଦସ୍ତଖତ କରିବେ ।