ଘଷିପୁରାରେ ସୀମା ଲଂଘିଲା ଗୁଣ୍ଡାଗର୍ଦ୍ଦି: ବଢ଼ୁଛି ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ବର୍ବରତା!

108

କନକ ବ୍ୟୁରୋ: ହାରିବା ଭୟରେ ହିଂସା ବଢୁଛି । ଘସିପୁରାରେ ରକ୍ତମୁଖା ହୋଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସମର୍ଥକ । ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବଦ୍ରି ପାତ୍ରଙ୍କ ସମର୍ଥିତ ଗୁଣ୍ଡା ତାଙ୍କୁ କିଭଳି କୁକୁଡା ଫାର୍ମରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ, ତାହା କହିଛନ୍ତି ସ୍ୱାଧିନ ପ୍ରାର୍ଥୀ ସୌମ୍ୟ ରଂଜନଙ୍କ ସମର୍ଥକ ବସନ୍ତ ଚକ୍ର । ସେପଟେ ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ହିଂସା ସେତିକି ବଢି ବଢି ଚାଲିଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ବଚସାକୁ କେନ୍ଦ୍ର କରି ନୂଆ ଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଛନ୍ତି ଦୁର୍ବୃତ ।

ଘଷିପୁରାର ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ସୀମା ଟପିବାରେ ଲାଗିଛି । ବଦ୍ରି ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିବା ସୌମ୍ୟରଂଜନଙ୍କ ସମର୍ଥକ ବସନ୍ତ ଚକ୍ର, ମେଡିକାଲରୁ ବାହାରିବା ପରେ କହିଛନ୍ତି ଆକ୍ରମଣର ବର୍ବର କାହାଣୀ । ସ୍ଥାନୀୟ ଏକ କୁକୁଡା ଫାର୍ମାରେ ଥିବା ସମୟରେ ବସନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ବସନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଘଟଣା ପରେ ହସ୍ପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ।

ବାରମ୍ବାର ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଏଭଳି ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ ହେଉଛି । ହେଲେ ପ୍ରଶ୍ନ ଉଠୁଛି, ପୁଲିସ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ପୁଲିସ କାହିଁକି ନିରବଦ୍ରଷ୍ଟା ସାଜୁଛି? ଏପଟେ ଘଷିପୁରାରେ ରାଜନୈତିକ ହିଂସା ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଟାଳି ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କହିଛନ୍ତି-ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ପୋଲିସ୍ର ପକ୍ଷପାତିତା ଅଭିଯୋଗ ଆଣି ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଘଷିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଧାରଣା ଦେଇଥିଲେ । ଶହ ଶହ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ ସୌମ୍ୟରଞ୍ଜନ । ବଦ୍ରି ନାରାୟଣ ପାତ୍ରଙ୍କ ପ୍ରରୋଚନା ଓ ଚାପରେ ପୁଲିସ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଗିରଫ କରୁଥିବାର ଅଭିଯୋଗ ଆଣିଥିଲେ ସୌମ୍ୟ । ତେବେ ଏଭଳି ଘଟଣାକୁ ରାଜନୈତିକ ସମୀକ୍ଷକ ମଧ୍ୟ ନିନ୍ଦା କରିଛନ୍ତି ।

ଏହାରି ଭିତରେ ପୁରୀ ଜିଲ୍ଲା ସତ୍ୟବାଦୀରୁ ମଧ୍ୟ ଆସିଛି ରାଜନୈତିକ ହିଂସାର ଚିତ୍ର । ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଛନ୍ତି ଦୁବୃର୍ତ । ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଯୁଧିଷ୍ଠିରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆକ୍ରମଣରେ ବିଜେଡି କର୍ମୀ ବଳିଆ ବିଶ୍ୱାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଯୁଧିଷ୍ଠିରଙ୍କ ପରିବାର ଲୋକ ଦାବି କରିଛନ୍ତି ।