ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବର୍ଷିଲେ ଯୋଗୀ ଆଦିତ୍ୟନାଥ । କହିଲେ, ବିଜେପି କ୍ଷମତାକୁ ଆସିଲେ ମାଫିଆ ହେବେ ସଫା । ଏପଟେ କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦମ୍ଭୋକ୍ତି

127

କନକ ବ୍ୟୁରୋ: ମୋଦି,ଶାହା ଓ ନଡ୍ଡାଙ୍କ ପରେ ଉପକୂଳରେ ଜୋରଦାର ପ୍ରଚାର କରିଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମାହାଙ୍ଗା କୁଳିଆ ଓ ଚିଲିକାର ବାଣପୁରରେ ଜନସଭାକୁ ସମ୍ବୋଧିତ କରିଥିଲେ ଯୋଗୀ । ଆଉ ଶ୍ରୀମନ୍ଦିର ପ୍ରସଙ୍ଗରେ ବର୍ଷିଥିଲେ ।

  • ବର୍ଷିଲେ ବିଜେପିର ଫାୟାରବ୍ରାଣ୍ଡ ନେତା
  • ମାଫିଆଙ୍କୁ ସାବାଡ କରିବାକୁ ଦେଲେ ଚେତାବନୀ

ଯୋଗୀ କହିଥିଲେ, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଉପରେ ମାଫିଆଙ୍କ ଆଖି ପଡିଛି । ଉତ୍ତରପ୍ରଦେଶରେ ବୁଲଡୋଜର ପରି ଓଡିଶାରେ ବି ମାଫିଆଙ୍କୁ ସାବାଡ କରାଯିବ । ରାଜ୍ୟରେ ବାବୁରାଜ ଚାଲିଛି ଆଉ ବାବୁରାଜ ଚାଲିଲେ ଲୋକେ ଉତ୍ପୀଡନ ହୁଅନ୍ତି । ବିଜେଡି ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଅଭିଯୋଗ କରିବା ସହ କଂଗ୍ରେସ ଉପରେ ବି ବର୍ଷିଥିଲେ ଯୋଗୀ ଆଦିତ୍ୟନାଥ ।
ଯୋଗୀ ଆଦିତ୍ୟନାଥଙ୍କ ଭଳି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଛନ୍ତି ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ।

ଜାତୀୟ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ଧାମନଗର, କରଞ୍ଜିଆ, ବଡଚଣା ଓ ବାଲିକୁଦାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । ସବୁ ସଭାରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ଜାତୀୟ ସଭାପତି । ନଡ୍ଡା କହିଥିଲେ, ଓଡିଶା ସରକାର ଆଉଟସୋର୍ସ ହୋଇଛି । ଏହି ସରକାର ହଟିବା ଦରକାର । ଓଡିଆ ଲୋକେ ଓଡିଆଙ୍କୁ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି ନଡ୍ଡା ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଥମିଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ସମ୍ବଲପୁର, କଟକ ଓ କେନ୍ଦୁଝର ଲୋକସଭା କ୍ଷେତ୍ରରେ ବିଜେପି ପାଇଁ ପ୍ରଚାର କରି କରିଛନ୍ତି । ପ୍ରଚାର ପୂର୍ବରୁ ସେ ଆଜି ସକାଳେ ମା ସମଲେଇଙ୍କୁ ଦର୍ଶନ କରିଥିଲେ ।