ସରିଲା ପ୍ରଚାର, ଦିନକ ପରେ ପଡିବ ଭୋଟ । ବାଜିରେ ଲାଗିଛି ବଡ଼ ନେତାଙ୍କ ଭାଗ୍ୟ । ଜିତିଲେ ବଢ଼ିବ ପତିଆରା, ହାରିଲେ ରାଜନୈତିକ କ୍ୟାରିୟରରେ ଲାଗିବ ପ୍ରଶ୍ନ ଚିହ୍ନ

114

କନକ ବ୍ୟୁରୋ: ଦିନକ ପରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ପ୍ରଥମ ଦୁଇଟି ପର୍ଯ୍ୟାୟ ଠାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ପର୍ଯ୍ୟାୟରେ ହେବ ସମ୍ମାନ ପାଇଁ ଲଢ଼େଇ । ଏହିସବୁ ଆସନ ପାଇଁ ହାଇପ୍ରୋଫାଇଲ କ୍ୟାମ୍ପେନିଂ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ ଘନ ଘନ ପ୍ରଚାର କରିଛନ୍ତି । କଂଗ୍ରେସ ମଧ୍ୟ ବଡ଼ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି ।

  • ସରିଲା ତୃତୀୟ ପର୍ଯ୍ୟାୟ ପ୍ରଚାର
  • ବାଜିରେ ବଡ଼ ନେତାଙ୍କ ଭାଗ୍ୟ

ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳ ଓ କେନ୍ଦୁଝର ଏହି ୬ ଲୋକସଭା ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

  • ସମ୍ବଲପୁର ଲୋକସଭାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି ।
  • ଭୁବନେଶ୍ୱର ଲୋକସଭାରେ ପୁଣିଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଇଦାନରେ ଅଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ।
  • ସେହିପରି କଟକରେ ବିଜେପି ପ୍ରାର୍ଥୀ ତଥା ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଜୋରଦାର ମୁକାବିଲା ହେଉଛି ।
  • ସବୁଠୁ ଚର୍ଚ୍ଚାରେ ରହିଛି ପୁରୀ ଲୋକସଭା ଆସନ । ଏହି ଆସନ ଉଭୟ ବିଜେପି ଓ ବିଜେଡିର ଫୋକସରେ ରହିଛି । ସମ୍ବିତ ପାତ୍ର ଓ ଅରୂପ ପଟ୍ଟନାୟକଙ୍କ ମଧ୍ୟରେ କାହା ମୁଣ୍ଡରେ ପୁରୀବାସୀ ସୁନାକଳସ ଢ଼ାଳିବେ ତା’ ଉପରେ ରହିଛି ସାରା ରାଜ୍ୟର ନଜର ।
  • ୬ ଲୋକସଭା ଆସନରେ କେଉଁଠି ତ୍ରିମୁଖୀ ପ୍ରତିଯୋଗିତା ହେଉଛି କେଉଁଠି ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ବଳ କଷାକଷି । ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଜୋରଦାର ଟକ୍କର ହେଉଛି ।

ଲୋକସଭା ଭଳି ବିଧାନସଭାରେ ବଡ଼ ବଡ଼ ନେତା ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ବିଜେଡି, ବିଜେପି, କଂଗ୍ରେସର ଅନେକ ତୁଙ୍ଗ ନେତା ମଇଦାନରେ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୟନାରାୟଣ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ଭଳି ନେତା ରଣାଙ୍ଗନରେ ରହିଛନ୍ତି ।

  • ସମ୍ମାନର ଲଢ଼େଇ ତୃତୀୟ ପର୍ଯ୍ୟାୟ ନିର୍ବାଚନ
  • ନିର୍ବାଚନ ଜିତିଲେ ବଢିବ ପତିଆରା
  • ହାରିଲେ ପ୍ରଭାବିତ ହେବ କ୍ୟାରିୟର

ସେହିପରି ଅରୁଣ ସାହୁ, ଅଶୋକ ପଣ୍ଡା, ମୋହନ ମାଝୀ, ଜୟନ୍ତ ଷଡଙ୍ଗୀ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ଭଳି ନେତାଙ୍କ ରାଜନୈତିକ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ କରିବେ ଭୋଟର । ଏପଟେ ଦେବୀପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ସୁବାସ ପାଣିଗ୍ରାହୀ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସୋଫିଆ ଫିରଦୋସ ଆଦି ପୁରୁଖା ଓ ନବାଗତ ନେତାଙ୍କ ରାଜନୈତିକ କ୍ୟାରିୟର ଆଗକୁ ବଢ଼ିବ ନା ବ୍ରେକ୍ ଲାଗିବ, ତା’ର ହିସାବ ନିକାଶ ହେବ ଏହି ପର୍ଯ୍ୟାୟରେ ।