‘ଏବେ ଡାକିଲେ ବି ଯିବିନି’…ଜନ ଆଶୀର୍ବାଦ ଯାତ୍ରା ପାଇଁ ନିମନ୍ତ୍ରଣ ନମିଳିବାରୁ ଉମା ଭାରତୀଙ୍କ କ୍ଷୋଭ

266

କନକ ବ୍ୟୁରୋ: ‘ମୁଁ ଗଲେ କାଳେ ମୋ ଆଡକୁ ଲୋକଙ୍କ ଧ୍ୟାନ ଭଟକିବ, ସେମାନଙ୍କୁ ଡର ଲାଗୁଛି । ସେଥିପାଇଁ ବୋଧେ ମୋତେ ଡାକିନାହାଁନ୍ତି । ଏଣିକି ଆଉ ଯେତେ ଡାକିଲେବି ଯିବିନି…’ ମଧ୍ୟପ୍ରଦେଶରେ ବିଜେପିର ଜନ ସମ୍ପର୍କ ଯାତ୍ରାକୁ ନିମନ୍ତ୍ରଣ ନହେବାକୁ ନେଇ ନିଜ ମନର କ୍ଷୋଭ ପ୍ରକାଶ କଲେ ବିଜେପି ବରିଷ୍ଠ ନେତା ଉମା ଭାରତୀ ।

ସୂଚନା ମୁତାବକ, ମଧ୍ୟପ୍ରଦେଶରେ ଜନତାଙ୍କ ମଧ୍ୟରେ ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବାକୁ ବିଜେପି ଆରମ୍ଭ କରୁଛି ‘ଜନସମ୍ପର୍କ ଯାତ୍ରା’ । କିନ୍ତୁ ଏହି ଯାତ୍ରାକୁ ବରିଷ୍ଠ ବିଜେପି ନେତା ଉମା ଭାରତୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଭୋପାଳର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ଏନେଇ ଉମାଙ୍କୁ ପଚରାଯିବାରୁ ଭାବୁକ ହୋଇଯାଇଥିଲେ । କହିଥିଲେ ‘ମୋତେ ଏହି ଯାତ୍ରାକୁ ନିମନ୍ତ୍ରଣ କରାଯାଇନାହିଁ ।ଏଥିରେ ମୋତେ କିଛି ଫରକ ପଡିବ ନାହିଁ । କିନ୍ତୁ ମୋ ମନରେ ଏକ ପ୍ରଶ୍ନ ନିଶ୍ଚୟ ସୃଷ୍ଟି ହୋଇଛି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଯଦି ତାଙ୍କ ସରକାର ବନଇବାରେ ହାତ ଅଛି ତାହେଲେ ମୁଁ ବି ଗୋଟିଏ ସରକାର ବନାଇଥିଲି । ୨୦୨୦ ଉପନିର୍ବାଚନବେଳେ ମୋତେ କରୋନା ହୋଇଥିଲା । ଭଲ ହେବାର ମାତ୍ର୧୧ ଦିନ ହୋଇଥାଏ, ପାର୍ଟି ନେତାଙ୍କ ଅନୁରୋଧ କ୍ରମେ ମୁଁ ନିର୍ବାଚନ ପ୍ରଚାରରେ ଯାଇଥିଲି । ମୋ କାରଣରୁ ବିଜେପିର ଅନେକ ବିକାଶ ହୋଇଥିଲା । ଏବେ ମୋତେ ଜନସମ୍ପର୍କ ଯାତ୍ରାକୁ ଡକାଯାଇନାହିଁ । ମୋତେ ବି ଯିବାର ଇଚ୍ଛା ନଥିଲା । କିନ୍ତୁ ଥରେ ନିମନ୍ତ୍ରଣ ତ କରିଥାନ୍ତେ । ଏଣିକି ଡାକିଲେ ବି ଆଉ ଯିବିନି’ ।

ଉମା ଆହୁରି ମଧ୍ୟ କହିଛନ୍ତି ଯେ, କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଲେ ନିଶ୍ଚୟ ଯିବେ । କାରଣ ଶିବରାଜଙ୍କ ପ୍ରତି ତାଙ୍କର ସମ୍ମାନ ଓ ସ୍ନେହ ଅଛି । ତେଣୁ ଯଦି ସେ ଡାକନ୍ତି ତାହେଲେ ତାଙ୍କ ସମ୍ମାନ ରଖିବାକୁ ଯାଇ ପ୍ରଚାରରେ ନିଶ୍ଚୟ ଯିବେ ବୋଲି କହିଛନ୍ତି ଉମା ଭାରତୀ ।