ନଷ୍ଟ ହୋଇଯିବ ତାରିଣୀ ନଡ଼ିଆ ! ଘଟଗାଁରେ ନିଲାମ ନହୋଇ ପଡ଼ି ରହିଛି ୧୧ ଲକ୍ଷ ମାନସିକ ନଡ଼ିଆ, ନିଲାମଧାରୀଙ୍କୁ ନେଇ ବିବାଦ

991

କନକ ବ୍ୟୁରୋ : ଘଟଗାଁରେ ନିଲାମ ନହୋଇ ପଡ଼ିରହିଛି ୧୧ ଲକ୍ଷ ମାନସିକ ନଡ଼ିଆ । ମାନସିକ ନଡ଼ିଆ କିଣିବା ପାଇଁ ଚୟନ ହୋଇଥିବା ନିଲାମଧାରୀଙ୍କୁ ହଇରାଣ କରି ବିଦା କରିବା ଏବେ ଘଟଗାଁ ମା’ ତାରିଣୀ ମନ୍ଦିର କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଲାମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା ୪ଟଙ୍କା ୬୫ ପଇସାରେ କିଣିବାକୁ ଚୁକ୍ତି କରିଥିଲେ । ସେ ଏହି ପ୍ରକ୍ରିୟାରୁ ଓହରିବା ପରେ ଏବେ ନଡ଼ିଆ ଗୋଟା ୪ଟଙ୍କା ୭୦ ପଇସାରେ କିଣିବାକୁ କେହି ରାଜି ହେଉନାହାନ୍ତି ।

ଫଳରେ ମା’ ତାରିଣୀ ମନ୍ଦିର ଗୋଦାମରେ ଗଛିତ ଥିବା ମାନସିକ ନଡ଼ିଆ ସବୁ ପଚିସଢ଼ି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଜିତେନ୍ଦ୍ର ନାରାୟଣ ଜେନା ଟେଣ୍ଡରରୁ ଓହରିବା ପରେ ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି । ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି । ଗତ ୧ ତାରିଖରେ ଦେବୋତର କମିସନଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲା ନିଲାମ ପ୍ରକ୍ରିୟା ହେବ ବୋଲି ନୋଟିସ୍ କରାଯାଇଥିଲା ।

ଆସନ୍ତା ୮ ତାରିଖରେ ନିଲାମ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । କିଛି ସମୟ ପରେ ଏହି ନୋଟିସକୁ ଚିରି ଦିଆଯାଇଥିଲା । ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଁ ରିଲିଜ ଅର୍ଡର ଦିଆଯାଇଥିଲା । ପରେ ସଂଧ୍ୟାରେ ସେ ରିଲିଜ ଅର୍ଡ଼ରକୁ ଫେରାଇ ଅଣାଯାଇଥିଲା । ତେବେ ପୁଣି ଥରେ ନଡ଼ିଆ ନିଲାମ ପାଇଁ ସଂଶୋଧିତ ନୋଟିସ୍ ମରାଯାଇଛି ।