ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ: ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା, ରେଳବାଇ ଦେଲା ସ୍ପଷ୍ଟୀକରଣ

6,953

କନକ ବ୍ୟୁରୋ: ଟଳିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ଥିଲା ଦୁଇଟି ଟ୍ରେନ । ଅଳ୍ପକେ ବର୍ତିଲା ଦୁର୍ଘଟଣା । ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସମାନ ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ସମାନ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିବାବେଳେ ମୁହିଁମୁହିଁ ହେବା ପୂର୍ବରୁ ଅଟକି ଯାଇଥିଲା । ତେବେ କ’ଣ ଘଟିଥିଲା, ରେଳବାଇ ପକ୍ଷରୁ ସ୍ପଷ୍ଟକରଣୀ ରଖାଯାଇଛି ।

ଛତିଶଗଡ ବିଳାସପୁରର ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣି ଥରେ ଛନକା ପଶିଛି । କାରଣ ବାହାନଗା ଟ୍ରେନ୍ ଦୁର୍ଘଟଣାର ଦୁଃଖ ଲିଭି ନଥିବା ବେଳେ ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅବଶ୍ୟ ଏହାକୁ ଏକ ସ୍ୱାଭାବିକ ଘଟଣା ବୋଲି କହିଛି ରେଳବାଇ ।

ଗତକାଲି ସଂଧ୍ୟାରେ ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସମାନ ଟ୍ରାକରେ ଏକ ମାଲବାହୀ ଟ୍ରେନ ଆସିଥିଲା । ସମାନ ଟ୍ରାକରେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଥିଲେ । ରେଳବାଇ ପକ୍ଷରୁ କୁହାଯାଇଛି, ବିଳାସପୁରରୁ ଜୟରାମନଗର ମଧ୍ୟରେ ଅଟୋମେଟିକ ସିଗ୍ନଲାଂଗି ସିଷ୍ଟମ କାର୍ଯ୍ୟ କରେ । ଏହା ଦ୍ୱାରା ଦୁଇ ଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ବିଭିନ୍ନ ସିଗନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ । ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ ।

ନଜର ପକାନ୍ତୁ, କ’ଣ ଏହି ଅଟୋମେଟିକ ସିଗ୍ନାଲିଂ ସିଷ୍ଟମ?
ଅଟୋମେଟିକ ସିଗ୍ନାଲିଂ ସିଷ୍ଟମ ରେଳ ଚଳାଚଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ
ଦୁଇ ଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ସିଗ୍ନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ
ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ
ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ

ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଏହି ଭାଇରାଲ୍ ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଏହି ଭିଡିଓକୁ ଜଣେ ଯାତ୍ରୀ ମୋବାଇଲ କ୍ୟାମେରାରେ ଉତୋଳନ କରିଥିବା ଜଣାପଡିଛି । ଏପରି ଖବର ଲୋକଙ୍କୁ ବିଭାନ୍ତ କରୁଛି ବୋଲି କହିଛି ରେଳବାଇ ।