ଅଶାନ୍ତ ଘଷିପୁରା । ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ

343

କନକ ବ୍ୟୁରୋ : ଦେଶର ଚତୁର୍ଥ ସ୍ତମ୍ବ ବି ଆଜି ସୁରକ୍ଷିତ ନୁହେଁ । ସାମ୍ବାଦିକମାନେ ଏବେ ଲୋକପ୍ରତିନିଧୀଙ୍କ ଆକ୍ରୋଶରେ ବାରମ୍ବାର ଶିକାର ହେଉଛନ୍ତି । ଏହା ପଛରେ କାରଣ ଯାହା ହେଉନା କାହିଁକି, କିନ୍ତୁ ଏହା ନିନ୍ଦନୀୟ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କେନ୍ଦ୍ୁଝର ଲୋକସଭା ଅନ୍ତର୍ଗତ ଘଷିପୁରା ନିର୍ବାଚନମଣ୍ଡଳୀରେ ବାରମ୍ବାର ହିଂସା ଦେଖିବାକୁ ମିଳିଛି । ଆଜି ଭୋଟିଂ ଚାଲିଥିବା ବେଳେ ପ୍ରଥମେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପୁଣି ବଡଜାମୁପଶି ସ୍ଥିତ ୬୯ ନମ୍ବର ବୁଥରେ ଜଣେ କାର୍ଯ୍ୟରତ ସାମ୍ବାଦକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପଛରେ ଜନତା ନୁହଁନ୍ତି ବରଂ ଜଣେ ଗ୍ରାମରକ୍ଷୀଙ୍କ ସଂପୃକ୍ତି ରହିଛି । ସ୍ଥାନୀୟ ଗ୍ରାମରକ୍ଷୀ ବୃଷଭଭାନୁ ଦାସ ସିଧାସଳଖ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ।

ସୂଚନା ମୁତାବକ ଏହି ବୁଥରେ କିଛି ଲୋକ ଗଣ୍ଡଗୋଳ କରୁଥିଲେ, ସାମ୍ବାଦିକ ଜଣଙ୍କ ଏହି ଗଣ୍ଡଗୋଳର ଭିଡିଓ ରେକଡିଂ କରୁଥିବା ବେଳେ ଗ୍ରାମରକ୍ଷୀ ବୃଷଭଭାନୁ ଦାସ ସାମ୍ବାଦିକ ଜଣଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଆକ୍ରମଣରେ ଶିକାର ହୋଇଥିବା ସାମ୍ବାଦିକ ଜଣଙ୍କ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ଏହି ଗଣ୍ଡଗୋଳ ଶାସକ ଦଳର ନେତାଙ୍କ ପ୍ରରୋଚନାରେ ହୋଇଛି । ଏହାସହ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବିଧାୟକଙ୍କ ଇସାରାରେ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ।