ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ଛେଳି ପାଳନ କରି ଆତ୍ମନିର୍ଭର ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

579

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗାଁ ଗାଁରେ ଆତ୍ମନିର୍ଭର ହେଉଛନ୍ତି ମହିଳା । ସୁବର୍ଣ୍ଣପୁର ବିରମହାରାଜପୁର ବ୍ଲକ ଚମ୍ପାମାଲ ଗାଁର ମା’ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଛେଳି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ୧୦ ଜଣ ମହିଳା ଏକାଠି ହୋଇ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ କିଛି ରୁଣ ନେଇ ଛେଳି ଫାର୍ମ କରିଛନ୍ତି । ଛେଳିଙ୍କୁ ଖାଇବାକୁ ଦେବା ଠାରୁ ଆରମ୍ଭ କରି ସବୁ ପ୍ରକାରର ଯତ୍ନ ସେମାନେ ନେଉଛନ୍ତି ।

ମିଶନ ଶକ୍ତି ପକ୍ଷରୁ ଏମାନଙ୍କୁ ଆର୍ଥିକ ସହାୟତା ସହିତ ଉଚିତ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ଛେଳିମାନଙ୍କ ଉତମ ଚିକିତ୍ସା ସହିତ ଆବଶ୍ୟକତା ଅନୁଯାୟୀ ସବୁ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ହାତ ବଢାଉଛି ପ୍ରାଣୀ ସମ୍ପଦ ବିଭାଗ । ଫଳରେ ଚମ୍ପାମାଲ ଗାଁର ୧୦ ଜଣ ମହିଳା ଆତ୍ମନିର୍ଭର ହେବା ସହ ଛେଳି ଚାଷରୁ ଆଗକୁ ଭଲ ଦୁଇ ପଇସା ରୋଜଗାର କରିବା ନେଇ ଆଶା ରଖିଛନ୍ତି ।

ଦିନଥିଲା ମହିଳା ମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ । କିନ୍ତୁ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସେମାନେ ଏବେ ସ୍ୱାବଲମ୍ବୀ ହେଉଛନ୍ତି । ଏବେ କେବଳ ଚୁଲି ମୁଣ୍ଡ ନୁହେଁ ଘରେ ଘରେ ପରିଚିତ ହୋଇଛନ୍ତି ଚମ୍ପାମାଲ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।