କର୍ମୀଙ୍କ ଉପରେ ବିଗିଡ଼ିଲେ ବଲାଙ୍ଗୀର ସାଂସଦ: ପ୍ରଶ୍ନ କଲେ, ସଭାରେ କାହିଁକି ହେଉନାହାଁନ୍ତି ଲୋକ?

3,456

କନକ ବ୍ୟୁରୋ: ଚର୍ଚ୍ଚାରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ଅଡ଼ିଓ କ୍ଲିପ୍ । ଏହି ଅଡିଓ କ୍ଲିପ୍ରେ ସାଂସଦ, ନିଜ ଦଳର ଜଣେ ମଣ୍ଡଳ ସଭାପତିଙ୍କୁ ଗାଳିଗୁଳଜ କରୁଛନ୍ତି । କହୁଛନ୍ତି- ବିଧାୟକଙ୍କ ସଭାରେ ଲୋକ ହେଉଥିବା ବେଳେ ତାଙ୍କ ସଭାରେ କାହିଁକି ଲୋକ ହେଉନାହାଁନ୍ତି । ଏଭଳି ପ୍ରଶ୍ନ ବାଣରେ ଦଳୀୟ ନେତାଙ୍କୁ ଘାଇଲା କରୁଥିବାର ଏହି ଅଡିଓ କ୍ଲିପ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ଏକାଧିକ ଥର ସରକାରୀ ଅଧିକାରୀଙ୍କୁ ଗାଳିଗୁଳଜ କରିବାର ଅଭିଯୋଗ ସଂଗୀତାଙ୍କ ନାଁରେ ରହିଛି ।

ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ଏକ ଅଡିଓ କ୍ଲିପ୍ ଏବେ ମୋବାଇଲରୁ ମୋବାଇଲ୍ ଘୁରି ବୁଲିଛି । ଏହି ଅଡିଓ କ୍ଲିପ୍ ଭାଇରାଲ ହେବା ପଛର କାରଣ ହେଉଛି, ଏଥିରେ ଖୋଦ୍ ସାଂସଦ, ଆଗଲପୁର ମଣ୍ଡଳ ସଭାପତିଙ୍କୁ ଦାଗିଦ୍ କରୁଛନ୍ତି । କହୁଛନ୍ତି- ବିଧାୟକଙ୍କ ସଭାରେ ଲୋକ ହେଉଛନ୍ତି, ହେଲେ ସେ ସାଂସଦ ହୋଇଥିଲେ ସୁଦ୍ଧା କାହିଁକି ତାଙ୍କ ସଭାରେ ଲୋକ ହେଉନାହାଁନ୍ତି ବୋଲି ତାଗିତ୍ କରୁଛନ୍ତି । ମନକୁ ଯାହା ଆସିଲା ଗାଳି କରୁଛନ୍ତି । ଆଉ ସବାଶେଷରେ କୁକୁର କହି ଫୋନ୍ କାଟି ଦେଉଛନ୍ତି ।

ବଲାଙ୍ଗିର ସାଂସଦଙ୍କ ଏହି ଠାଣି ପ୍ରଥମ ଥର ଦେଖିବାକୁ ମିଳୁଛି, ତାହା ନୁହେଁ । ଦଳୀୟ କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଗାଳିଗୁଳଜ କରିବାର ଲମ୍ବା ତାଲିକା ରହିଛି, ସଂଗୀତା ସିଂଦେଓଙ୍କ ନାଁରେ । ଗତ ଜାନୁୟାରୀ ମାସରେ ପିଡିଡିଆରଡିଏ ସୁଶାନ୍ତ କୁମାର ସିଂଙ୍କ ଉପରେ ବର୍ଷିଥିଲେ ବଲାଙ୍ଗିର ସାଂସଦ । ବଲାଙ୍ଗୀରରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା ପାଇଁ ଦିଶା ବୈଠକ ଡକାଯାଇଥିଲା । ହେଲେ ବୈଠକ, ଡିଆରଡିଏ କନଫରେନ୍ସ ହଲରେ ନହୋଇ କାହିଁକି ସ୍ଥାନ ପରିବର୍ତନ କରାଗଲା ବୋଲି ପିଡିଡିଆରଡିଏଙ୍କୁ ଘେରିଥିଲେ ।