ରୋଚକ ହେଉଛି ଖୋର୍ଦ୍ଧା ରାଜନୀତି । ବିଜେପି ରାଲିରେ ନଜର ଆସିଲେ ବିଜେଡି ବିଧାୟକ ଜିତୁ ମିତ୍ର । ଅପରାଜିତା, ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ କଲେ ପ୍ରଚାର ।

1,986

କନକ ବ୍ୟୁରୋ: ଆଉ ମାତ୍ର ଦିନକ ପରେ ଭୋଟ୍ ଦେବାକୁ ଯାଉଛି ଖୋର୍ଦ୍ଧା । ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧାରେ ପଡିବାକୁ ଯାଉଛି ଭୋଟ୍ । ଆଉ ଆଜି ଥିଲା ପ୍ରଚାରର ଶେଷ ଦିନ । ତେବେ ପ୍ରଚାରର ଶେଷ ଦିନରେ ଖୋର୍ଦ୍ଧା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଜେଡି ବିଧାୟକ ଥିବା ଜିତୁ ମିତ୍ର କ୍ୟାମ୍ପ ବଦଳେଇ ଆଜି ବିଜେପି ପାଇଁ ପ୍ରଚାର କରିଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ମିଶି ବିଜେପି ପାଇଁ ପ୍ରଚାର କରିଛନ୍ତି ଜିତୁ ମିତ୍ର ।

ତେବେ ବର୍ତ୍ତମାନ ଖୋର୍ଦ୍ଧାରୁ ବିଧାୟକ ଥିବା ଜିତୁ ମିତ୍ର ବିଜେଡି ଟିକେଟରୁ ୨୦୧୯ ନିର୍ବାର୍ଚନ ଜିତିଥିଲେ । ହେଲେ ଏଥର କିନ୍ତୁ ତାଙ୍କ ଟିକେଟ୍ କାଟି ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ୍ ଦେଇଥିଲା । ଆଉ ଏହାପରେ ଜିତୁ ମିତ୍ରଙ୍କୁ ମଧ୍ୟ କୌଣସି ଦିନ ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳୁନଥିଲା । ହେଲେ ପ୍ରଚାରର ଶେଷ ଦିନରେ ହଠାତ୍ ଆଜି ଜିତୁ ମିତ୍ର ଅପରାଜିତାଙ୍କ ସହ ନଜର ଆସିବା ସହ ବିଜେପି ପାଇଁ ପ୍ରଚାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଥର ଖୋର୍ଦ୍ଧା ରାଜନୀତି ବେଶ ରୋଚକ୍ ହୋଇଛି । କାହିଁକି ନା ଏଠାରେ ଏଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳୁଛି । ବିଜେଡି ଏଠି ଜିତୁ ମିତ୍ରଙ୍କ ଟିକେଟ୍ କାଟି ରାଜେନ୍ଦ୍ର ସାହୁଙ୍କୁ ଟିକେଟ୍ ଦେଇଥିବାବେଳେ, ବିଜେପି ମଧ୍ୟ କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ୍ ଦେଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏଠି ମହିଳା କାର୍ଡ ଖେଳିବା ସହ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏହି ଲଢେଇ ଭିତରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।