ମଧ୍ୟପ୍ରଦେଶରେ ଥମୁନି ଆଦିବାସୀଙ୍କ ଉପରେ ହିଂସା, ୨ ଆଦିବାସୀ ଯୁବକଙ୍କୁ ୮ ଘଣ୍ଟା ବନ୍ଧକ ରଖି ନିସ୍ତୁକ ମାଡ

432

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ନେତାଙ୍କ ଦ୍ୱାରା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ମାମଲା ଟିକେ ଥଣ୍ଡାପଡି ଆସୁଥିବା ବେଳେ ଇନ୍ଦୋର ସହରରେ ପୁଣି ଦୁଇଜଣ ଆଦିବାସୀ ଯୁବକଙ୍କୁ ୮ ଘଣ୍ଟା ବନ୍ଧକ ରଖି ନିସ୍ତୁକ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ପୋଲିସ ସୂଚନା ପାଇବା ପରେ ପୀଡିତ ୨ ଆଦିବାସୀ ଯୁବକଙ୍କ ଉଦ୍ଧାର କରି ମେଡିକାଲ ପଠାଇଛି । ଏହାସହ ଏହି ମାମଲାରେ ସଂପୃକ୍ତ ଥିବା ଅପରାଧୀମାନଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ରୁଜୁ କରିଛି । ସେପଟେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ ଶୁକ୍ରବାର ରାତିରେ ବର୍ଷା ହେଉଥିବା ବେଳେ ରଙ୍ଗବାସତ ଗ୍ରାମର ଦୁଇଜଣ ଆଦିବାସୀ ଯୁବକ ଟ୍ରେଜର ଫାଣ୍ଟାସୀ କଲୋନୀ ଦେଇ ଯାଉଥିଲେ । ଏହି ସମୟରେ ଜବାହର କଲୋନୀ ନିକଟରେ ଦୁଇ ଯୁବକ ଯାଉଥିବା ଗାଡିଟି ପଡି ଯାଇଥିଲା । ଏହାପରେ କଲୋନୀରେ ସୁରକ୍ଷାକର୍ମୀ ଥିବା ସୁମିତ ଚୌଧୁରୀ ଯୁବକ ଦୁଇଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏସବୁ ନେଇ ଦୁଇ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏସବୁ ମଧ୍ୟରେ ଘଟଣା ସ୍ଥଳରେ ସୁମିତ ଚୌଧୁରୀଙ୍କ ସହ ଜୟପାଲ ଓ ପ୍ରେମ ମିଶି ଯୁବକ ଦୁଇଜଣଙ୍କୁ ଉଠାଇ ନେଇଥିଲେ । ଏହାପରେ ସେମାନଙ୍କୁ ବନ୍ଧକ ରଖି ୮ ଘଣ୍ଟା କାଳ ମାଡ ମାରିଥିଲେ । ଏହି ମାଡ ମାରିବା ବେଳର ଭିଡିଓ ମଧ୍ୟ ରେକର୍ଡିଂ କରିଥିଲେ ।

ପୀଡିତ ୨ ଆଦିବାସୀ ଯୁବକ ଅନ୍ତର ଡାବର ଓ ଶଂକର ଡାବର କହିଛନ୍ତି କି ଗାଡି ଦୁର୍ଘଟଣା କାରଣକୁ ନେଇ ଏଭଳି ଘଟଣା ଘଟିଛି । ଏହାପରେ ସେମାନଙ୍କୁ ନିର୍ମମ ଭାବେ ମାଡ ମରାଯାଇଥିଲା । ଏସବୁ ଭିତରେ ସକାଳ ହେବାରୁ ଯୁବକ ଦୁଇଜଣ ସେଠାରୁ କୌଣସି ପ୍ରକାର ଖସି ଆସିଥିଲେ ।

ଗାଁରେ ପହଂଚିବା ପରେ ଯୁବକ ଦୁଇଜଣ ସେମାନଙ୍କ ସହ ଘଟିଥିବା ଘଟଣା ନିଜ  ପରିବାର ଲୋକଙ୍କୁ ଜଣାଇବା ସହ ଆଦିବାସୀ ସଂଗଠନକୁ ଜଣାଇଥିଲେ । ଏହାପରେ ସଂଗଠନ ପକ୍ଷରୁ ଦୁଇ ଯୁବକଙ୍କୁ ଥାନାକୁ ନେଇ ଯାଇଥିଲେ । ସେଠାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ମେଡିକାଲ ପଠାଇଛି । ଏହି ପୂରା ମାମଲାକୁ ନେଇ ଇନ୍ଦୋର ଡିସିପି ଆଦିତ୍ୟ ମିଶ୍ରା କହିଛନ୍ତି କି ଅପହରଣ ସହ ଅପରାଧୀଙ୍କ ଉପରେ ଗମ୍ଭୀର ଧାରାରେ ମାମଲା ରୁଜୁ କରାଯାଇଛି । ଏହାସହ ମୁଖ୍ୟ ଅଭିଯୁକ୍ତ ସୁମିତକୁ ଗିରଫ କରାଯାଇଛି ।