ମଇଁଷି ଲାଞ୍ଜ ଧରି ପାର ହେଉଥିଲେ ନଦୀ । ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ଜଣେ ମୃତ, ୨ ଜଣ ସୁରକ୍ଷିତ ଭଦ୍ଧାର

330

କନକ ବ୍ୟୁରୋ: ମଇଁଷି ଲାଞ୍ଜ ଧରି ପାର ହେଉଥିଲେ ନଦୀ । ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ । ଭରା ନଦୀରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଭାସିଯିବା ପରେ ଉଦ୍ଧାର ହୋଇଛି ମୃତଦେହ । କେନ୍ଦ୍ରାପଡା ମହାକାଳପଡା ବାହାକୁଦ ଫେରିଘାଟ ନିକଟ ମହାନଦୀ ମୁହାଣରେ ବରଜ ଗାଁର ଜଣଙ୍କର ମୃତ୍ୟୁ ହୋଇଯାଇଛି । ନଦୀର ଆରପାଖକୁ ତିନିଜଣ ଲୋକ ମଇଁଷି ନେଇ ଚରାଇବାକୁ ଯାଇଥିଲେ । ଉପର ମୁଣ୍ଡରେ ବର୍ଷା ଯୋଗୁ ମହାନଦୀରେ ଧୀରେ ଧୀରେ ଜଳସ୍ତର ବଢିବାରେ ଲାଗିଥିଲା । ପାଣି ବଢିବା ଦେଖି ତିନିଜଣ ମଇଁଷି ପଲକୁ ଭରାନଦୀରେ ଛାଡି ଦେଇଥିଲେ । ଆଉ ସେଠାରେ ହିଁ ମଇଁଷିର ଲାଞ୍ଜ ଧରି ନଦୀ ପାର ହୋଇଆସୁଥିଲେ । ହେଲେ ନଦୀର ପ୍ରଖର ସ୍ରୋତରେ ମଇଁଷି ଲାଞ୍ଜ ତାଙ୍କ ହାତରୁ ଖସି ଯାଇଥିଲା । ଯାହା ଫଳରେ ଜଣେ ସେଠାରୁ ଭାସି ଯାଇଥିଲେ । ନଦୀର ପ୍ରଖର ସ୍ରୋତରେ ୨ କିଲୋମିଟର ଭାସି ଭାସି ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ନିକଟରେ ଥିବା ହସପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଅନ୍ୟ ଦୁଇ ଜଣ ସୁରକ୍ଷିତ ଭାବେ ପହଁରି କୂଳରେ ଲାଗିଯାଇଥିଲେ ।