ସୈନୀ ସରକାରର ବଢିଲା ସଙ୍କଟ । ଜଣେ ସ୍ୱାଧୀନ ବିଧାୟକଙ୍କ ହାର୍ଟ ଆଟାକରେ ମୃତ୍ୟୁ । ଭାଙ୍ଗିଯିବ କି ବିଜେପି ସରକାର?

362

କନକ ବ୍ୟୁରୋ: ହରିୟାଣାରେ ସଙ୍କଟରେ ଚାଲୁଥିବା ସୈନୀ ସରକାରର ଟେନସନ୍ ଆହୁରି ଅଧିକ ବଢିବାରେ ଲାଗିଛି । ଲଗାତାର ବିରୋଧୀ ସୈନୀ ସରକାରକୁ ଅଳ୍ପମତର ସରକାର ବୋଲି କହି ଆସୁଥିବାବେଳେ, ଆଜି ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ ମୃତ୍ୟୁ ସୈନୀ ସରକାରର ସଂଖ୍ୟା ବଳକୁ ଆହୁରି ଦୁର୍ବଳ କରିଦେଇଛି । ନିର୍ଦ୍ଦଳୀୟ ବିଧାୟକ ରାକେଶ ଦୌଲତାବାଦ୍ ହାର୍ଟ ଆଟାକରେ ପ୍ରାଣ ହରାଇବା ପରେ, ସୈନୀ ସରକାରର ସଙ୍କଟ ଆହୁରି ଅଧିକ ବଢିଯାଇଛି ।

ହରିୟାଣାର ମୋଟ ବିଧାନସଭା ଆସନ ହେଉଛି ୯୦ । ସେଥିମଧ୍ୟରୁ ବର୍ତ୍ତମାନ ୮୭ ବିଧାୟକ ରହିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ମନୋହର ଲାଲ ଖଟ୍ଟର ଏବଂ ରଣଜୀତ ଚୌଟାଲାଙ୍କ ଇସ୍ତଫା ଏବଂ ସ୍ୱାଧୀନ ବିଧାୟକଙ୍କ ମୃତ୍ୟୁ ପରେ ହି ଏହି ସଂଖ୍ୟା ୮୭କୁ ଖସିଆସିଛି । ତେବେ ଏହା ମଧ୍ୟରୁ ବହୁମତ ହାସଲ ପାଇଁ ଦଳକୁ ୪୪ ବିଧାୟକଙ୍କ ସମର୍ଥନ ଦରକାର । ହେଲେ ବିଜେପି ପାଖରେ କିନ୍ତୁ ବର୍ତ୍ତମାନ ୪୦ ବିଧାୟକଙ୍କ ସମର୍ଥନ ରହିଛି । ତା ସହିତ ଜଣେ ନିର୍ଦ୍ଦଳୀୟ ବିଧାୟକ ଏଭଂ ହରିୟାଣା ଲୋକହିତ ପାର୍ଟିର ଜଣେ ବିଧାୟକଙ୍କ ସମର୍ଥନ ମଧ୍ୟ ସରକାର ପ୍ରତି ରହିଛି । ଯାହା ଫଳରେ ସୈନୀ ସରକାର ପାଖରେ ମୋଟ ୪୨ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ବହୁମତ ଠାରୁ ଏବେ ବି ସୈନୀ ସରକାର ୨ ବିଧାୟକଙ୍କ ସମର୍ଥନଠୁ ପଛରେ ରହିଛି ।

ଅପରପକ୍ଷରେ କଂଗ୍ରେସ ପାଖରେ ବର୍ତ୍ତମାନ ୩୦ ବିଧାୟକଙ୍କ ସମର୍ଥନ ରହିଛି । ଏହାବାଦ୍ ୩ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ମୋଟ ୩୩ ବିଧାୟକଙ୍କ ସମର୍ଥନ ବିରୋଧୀ ପାଖରେ ରହିଛି । ତେବେ ଏବେ ବି ହରିୟାଣା ବିଧାନସଭାରେ ଏମିତି ୧୨ ବିଧାୟକ ରହିଛନ୍ତି, ଯେଉଁମାନେ କି କାହାକୁ ବି ସମର୍ଥନ ଦେଇନାହାଁନ୍ତି । ଜେଜେପିର ୧୦ ବିଧାୟକ, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ କାହାକୁ ମଧ୍ୟ ସମର୍ଥନ ଦେଇନାହାଁନ୍ତି ।