ବନବିଭାଗ ନାକ ତଳୁ ହେଉଛି କାଠ ଚୋରି: ଭାଲେରୀ ପାହାଡକୁ ଖାଲି କରି ଦେଉଛନ୍ତି କାଠ ମାଫିଆ

87

କନକ ବ୍ୟୁରୋ: ଅବାଧରେ କାଠ ମାଫିଆ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ କାଠ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପହାଡ ଏବେ ଶ୍ରୀହିନ ହେବାକୁ ବସିଥିବା ବେଳେ ଚେଇଁ ଶୋଇଛି ବନ ବିଭାଗ । ବନ ବିଭାଗର ନାକ ତଳୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି କାଠ ମାଫିଆ ।

ଭାଲେରୀ ପାହାଡକୁ ଖାଲି କରି ଦେଉଛନ୍ତି କାଠ ମାଫିଆ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବନାଂଚଳ ଅଧିନ ନାରାୟଣୀ ବିଟ ହାଉସ ପଛପଟେ ଥିବା ଏହି ପାହାଡରେ ଏବେ ମୂଲ୍ୟବାନ ଶାଗୁଆନ ଗଛର ମୂଳ ଅଛି, ଗଣ୍ଡି ନାହିଁ । ଦୀର୍ଘ ଦିନ ହେଲା ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରା ଜଙ୍ଗଲକୁ ସଫା କରିବାରେ ଲାଗିଛନ୍ତି । ମେସିନ ଲଗାଇ ଅବାଧରେ ମୂଲ୍ୟବାନ ଶାଗୁଆନ ଗଛକୁ କାଟି ନେଉଛନ୍ତି । ବିଟ ହାଉସ ନିକଟ ଏହି ଜଙ୍ଗଲ ସୁରକ୍ଷା ପାଇଁ ଜଣେ ଫରେଷ୍ଟର ଓ କିଛି ଫରେଷ୍ଟ ଗାର୍ଡ ନିୟୋଜିତ ଅଛନ୍ତି । ତଥାପି ବନ ବିଭାଗ କାହିଁକି କାଠ ମାଫିଆକୁ ଧରି ପାରୁନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

କେବଳ ଭାଲେରୀ ପାହାଡ ନୁହେଁ, ନାରାୟଣୀ ବିଟ ହାଉସ ଅଧିନରେ ଥିବା ଭାଲେରୀ ପିଆରଏଫ, ପାଣିଖୋଲ ଜଙ୍ଗଲ, କମାର ସିଂ, ଦେବିଝର, କରୁମିପୁର, ଲାଖପଡା ଓ ସୂଜନ ସାହିରେ ଥିବା ଜଙ୍ଗଲରୁ ମଧ୍ୟ ସବୁ ଦିନ କାଠ ଚୋରି ହେଉଛି । ଜଙ୍ଗଲ ଗୁଡିକ ଆଦିବାସୀ ଅଧୂଷିତ ଅଂଚଳର ହୋଇଥିବାରୁ କାଠ ମାଫିଆ ଏହାର ସୁଯୋଗ ନେଉଛନ୍ତି । ଆଉ ବନ ବିଭାଗ ହାତ ବାନ୍ଧି ବସିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।