ମଣିଷ ପରି ବିଲେଇର ହେଲା ଶେଷ ସଂସ୍କାର । ପୋଷା ବିଲେଇର ଆକସ୍ମିକ ମୃତ୍ୟୁ ପରେ ଘରେ ହେଲା ଏକାଦଶାହ କର୍ମ ।

158

କନକ ବ୍ୟୁରୋ: କାଲି ଯାହା ପାଇଁ ଜନ୍ମଦିନ ପାଳନ ହେଉଥିଲା, କେକ୍ କଟା ଯାଉଥିଲା, ତା ମୁଣ୍ଡରେ ଟୋପି ପିନ୍ଧାଇ ଖୁସିର କଣ୍ଠରେ ହାପି ବର୍ଥ ଡେ ଗୀତ ବୋଲାଯାଉଥିଲା । ଆଜି ତା ପାଇଁ ପଡିଛି କାନ୍ଦ ବୋବାଳି । ତା ଜୀବନ ଦୀପ ଲିଭିଯିବା ପରେ ତାକୁ ଦିଆଯାଇଛି ଲୁହର ଶ୍ରଦ୍ଧାଞ୍ଜଳି । ଘରପାଖରେ ସମାଧି କରି ଶେଷ ବିଦାୟ ଦେଇଛନ୍ତି ସମସ୍ତେ ଆଉ ତା ଶବ ଉପରେ ଅଜାଡିଦେଇଛନ୍ତି ମୁଠାମୁଠା ମଣିଷପଣିଆର ମାଟି । ପ୍ରାଣଠୁ ପ୍ରିୟ ଥିଲା ସେ, ପରିବାର ଲୋକ ଭଳି ଚଳୁଥିଲା ସେ, ତେଣୁ ତ ପୋଷା ବିଲେଇର ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଏ ପରିବାରର ପ୍ରତ୍ୟେକ ସଦସ୍ୟ ।

ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ପୋଷା ବିଲେଇକୁ ବିଦାୟ ଦେଲା ବେଳର । ବିଲେଇର ମୃତ୍ୟୁ ପରେ ତାର ଶେଷ ସଂସ୍କାର କରୁଛନ୍ତି ପରିବାର ସଦସ୍ୟ । ରାଜଧାନୀ ଭୁବନେଶ୍ୱରର ଜୟଲକ୍ଷ୍ମୀ ପଣ୍ଡା ଓ ରଶ୍ମିରଞ୍ଜନ ପଣ୍ଡାଙ୍କ ପାଖେ ବଢିଥିଲା ଏହି ପୋଷା ବିଲେଇ । ପରିବାର ସଦସ୍ୟ ଭଳି ତାକୁ ସମସ୍ତେ ମାନନ୍ତି ଆଉ ଦେଖିବାକୁ ଡଉଲଡାଉଲ ଏବଂ ବରଫ ପରି ଧଳା ହୋଇଥିବାରୁ ତାକୁ ସଭିଁଏ ଆଦରରେ ସ୍ନୋବେଲ୍ ପଣ୍ଡା ବୋଲି ଡାକନ୍ତି । ହେଲେ ଗତ ୧୧ ଦିନ ତଳେ ତା ଶରୀର ଅସୁସ୍ଥ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୦ରୁ ୧୨ ଦିନ ଚିକତ୍ସା ଚାଲିଲା । କିନ୍ତୁ ଶେଷରେ ଆଖି ବୁଝିଲା ଘରର ପ୍ରିୟ ବିଲେଇ ସ୍ନୋବେଲ୍ ।

ସ୍ନୋବେଲ୍ ଘରେ ଥିଲେ ପୂରିଉଠୁଥିଲା ଘର । ପରିବାରର ସୁଖ ଦୁଃଖରେ ବି ସେ ଭାଗିଦାରି ହେଉଥିଲା । ତାର ସ୍ପର୍ଶ ଦୂରେଇ ଦେଉଥିଲା ପରିବାରର ଦୁଃଖ । ମାତ୍ର ଚାରି ବର୍ଷରେ ସେ ଯେବେ ହୋଇଯାଇଥିଲା ତାକୁ ଆପଣାର କରିଥିଲା ଏ ପରିବାର । ଖେଳି ଖେଳି ନାକେଦମ ହେଲେ ଘର ଲୋକଙ୍କ ପାଖରେ ଗେଲ୍ହେଇ ହେଉଥିଲା ସ୍ନୋବେଲ୍ । ସେ ପଶୁଟିଏ ହୋଇଥିଲେ ବି ଘରର ସଭିଙ୍କ ପାଇଁ ସେ ଥିଲା ଆପଣାର, ଅତି ନିଜର ।

ତେବେ ବିଲେଇ ସିନା ସେମାନଙ୍କୁ ଛାଡି ଚାଲିଯାଇଛି କିନ୍ତୁ ତାର ଅବର୍ତମାନରେ ସଭିଏଁ ତାକୁ ଝୁରୁଛନ୍ତି । ତା ପାଇଁ ଲୁହ ଝରାଉଛନ୍ତି । ସେଥିପାଇଁ ତ ତା ଏକାଦଶାହ କର୍ମ ବି ଘରେ ପାଳନ ହୋଇଛି । ତା ସ୍ମୃତିରେ ଲଗାଯାଇଛି ଗଛ । ଆଉ ଘରେ ତିଆରି ହୋଇଛି ସ୍ନୋବେଲ୍ କର୍ଣ୍ଣର । ସତରେ ପଶୁପ୍ରେମର ଏ କାହାଣୀ ପଶୁଙ୍କ ପ୍ରତି ଅତ୍ୟାଚାର କରୁଥିବା ଅମଣିଷଙ୍କୁ ବାଟ ଦେଖାଇବ ନିଶ୍ଚୟ ।