ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ: ପରିବାର ଘରେ ଥିବା ବେଳେ ନିଆଁ ଲଗାଇଦେଲେ ଗାଁଲୋକ, ଘଟଣାରେ ୩ ଆହତ । ଜାଣନ୍ତୁ ପୁରା ଘଟଣା

245

କନକ ବ୍ୟୁରୋ: ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ । ଘରେ ପରିବାର ଲୋକେ ଥିବା ବେଳେ ନିଆଁ ଲଗାଇଦେଲେ ଗାଁ ଲୋକ । ଫଳରେ ମା’ ସହ ପୁଅ, ଝିଅ ଆହତ ହୋଇଛନ୍ତି । ଖୋର୍ଦ୍ଧା ଭୁଷଣ୍ଡପୁର ଗୋବର୍ଦ୍ଧନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ମୁତାବକ, ଗୋବର୍ଦ୍ଧନପୁରରେ ଜଳନ୍ଧର ପ୍ରଧାନଙ୍କ ପରିବାର ରୁହନ୍ତି । ଆଜି ସ୍ଥାନୀୟ ଝାନସିପାଟଣା ଗ୍ରାମବାସୀ ଜଳନ୍ଧରଙ୍କ ଘରେ ନିଆଁ ଲଗାଇଦେଇଥିବା ନେଇ ଅଭିଯୋଗ ହୋଇଛି । ଗ୍ରାମବାସୀ ଉକ୍ତ ସ୍ଥାନକୁୁ ଶ୍ମଶାନ ଜମି ବୋଲି ଦାବି କରୁଥିଲେ । ଯାହାକୁ ନେଇ ଜଳନ୍ଧରଙ୍କ ପରିବାର ସହ ବିବାଦ ଲାଗି ରହିଥିଲା । ସେହି ସ୍ଥାନରୁ ଜଳନ୍ଧରଙ୍କ ପରିବାରକୁ ହଟାଇବା ଲାଗି ଗାଁ ଲୋକେ ନିଆଁ ଲଗାଇଦେଇଛନ୍ତି ।

କେବଳ ଏତିକି ନୁହେଁ ଘରେ ନିଆଁ ଲଗାଇଦେବା ସହ ଅଳିଆ ଆବର୍ଜନା ପକାଇ ତାଙ୍କ କୂଅ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅଗ୍ମିଶମ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁରେ ପୋଡି ଜଳନ୍ଧରଙ୍କ ସ୍ତ୍ରୀ ଏବଂ ପୁଅ, ଝିଅ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି ।