ମଞ୍ଚ ଉପରୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: କହିଲେ, ‘ଜେଲ ଯିବେ କ୍ରିତଦାସ’

298

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ଆଉ ସବୁ ଦଳର ନେତା ପରସ୍ପର ବିରୋଧରେ ଆଣୁଛନ୍ତି ସଂଗୀନ ଅଭିଯୋଗ । ଆଜି ବଡ଼ଚଣାରେ ପ୍ରଚାର ବେଳେ ଏକ ବଡ଼ ପ୍ରସଙ୍ଗ ଉଠାଇ ବିଜୁ ଜନତା ଦଳକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଣିଥରେ ବ୍ଲାକରୋଜ୍ ପ୍ରସଙ୍ଗ ଉଠାଇବା ସହ ନାଁ ନନେଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଖୁବଶୀଘ୍ର ଜେଲ ଯିବେ କ୍ରିିତଦାସ ।

ଓଡିଶାର ସିଂହାସନ ଦଖଲ ପାଇଁ ଶେଷ କସରତ ଚାଲିଥିବାବେଳେ, ମଂଚ ଉପରୁ ସିଧାସଳଖ ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ଼ଚଣାରେ ନିର୍ବାଚନୀ ସଭାରୁ ପୁଣିଥରେ ବ୍ଲାକରୋଜ ଜାହାଜ ପ୍ରସଙ୍ଗ ଉଠାଇ ବିଜେଡିର ବଡ ନେତାଙ୍କୁ ଟାର୍ଗେଟ କରିଛନ୍ତି । ବ୍ଲାକରୋଜ ଜାହାଜରେ ଓଡିଶାର ବୈଭବକୁ ବିଦେଶୀମାନଙ୍କ ହାତରେ ବିକ୍ରି କରିବାର ଷଡଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଏବଂ ଘଟଣାରେ ତଦନ୍ତ ଚାଲିଛି, ଆଉ କ୍ରିତଦାସ ଜେଲ ଯିବେ ବୋଲି ଚେତାବନୀ ଦେଇଛନ୍ତି ଧର୍ମେନ୍ଦ୍ର ।

ସେହିପରି ପାନୀୟ ଜଳ ସମସ୍ୟା, ସରକାରୀ ଡାକ୍ତରଖାନାର ପଦବୀ ଖାଲି ପଡିବା, ହାଇସ୍କୁଲ ନଥିବା, ଦାଦନ ସମସ୍ୟା, ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର । ଓଡିଆ ଅସ୍ମିତା କଥା ଉଠାଇ ସମାଲୋଚନା କରିଛନ୍ତି ।

ସମ୍ବଲପୁରରେ ନିର୍ବାଚନ ସରିବା ପରେ, ଉତର ଓ ଉପକୂଳ ଓଡିଶାରେ ଡେରା ପକାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୟୂରଭଞ୍ଜ ପରେ, ବାଲେଶ୍ୱର, ଯାଜପୁରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଓ ଭୋଟ ମାଗିଛନ୍ତି । ସେହିପରି ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।