ନିର୍ବାଚନ ବେଳେ ନେତା ହଟହଟା: ପ୍ରଚାରବେଳେ ପାଣି ସମସ୍ୟା ନେଇ ମନ୍ତ୍ରୀଙ୍କୁ ଘେରିଲେ ଜନତା

103

କନକ ବ୍ୟୁରୋ: ଆପଣଙ୍କୁ ୩ଟି ଅଂଚଳର ଖବର କହିବୁ । ଯେଉଁଠି ଭୋଟ୍ ପାଇଁ ଗାଁକୁ ଯିବା ବେଳେ ନେତାଙ୍କୁ ହଟହଟା ହେବାକୁ ପଡ଼ିଛି । କାକଟପୁରରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ, ପାଣି ସମସ୍ୟାର ସମାଧାନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲୋକ । ଚାନ୍ଦବାଲିରେ ବିଧାୟକଙ୍କ ବିରୋଧରେ ଅନ୍ଧାରୀବିଜେର ଅଭିଯୋଗ ଆଣି ଘେରିଛନ୍ତି ଗାଁଲୋକ । ଧର୍ମଶାଳାରେ ଜିଲ୍ଲା ପରିଷଦଙ୍କ ସ୍ୱାମୀ ଟଙ୍କା ବାଂଟୁ ଥିବା ଅଭିଯୋଗରେ ଅଟକାଇଥିଲେ ଲୋକ ।

ନିର୍ବାଚନ ଜିତିବା ଲାଗି ନେତା ଦିନରାତି ଏକ କରିଦେଇଛନ୍ତି । ଆଉ ନିର୍ବାଚନ ବେଳେ ନେତା ରାତିଅଧିଆ ଗାଁକୁ ଯିବାକୁ ନେଇ ତାତିଛନ୍ତି ଲୋକେ । ଏପରିକି ମନ୍ତ୍ରୀ ମଧ୍ୟ ଲୋକଙ୍କ ଆକ୍ରୋଶରୁ ବାଦ୍ ପଡିନାହାନ୍ତି ।

୫ ବର୍ଷରେ ପିଇବା ପାଣି ସମ୍ୟାର ସମାଧାନ କରିପାରିଲେନି । ଆଉ ମନ୍ତ୍ରୀଙ୍କୁ ଘେରିଥିଲେ ଲୋକେ । କାକଟପୁରରେ ସୋମବାରର ଏଭଳି ଏକ ଦୃଶ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦେଖନ୍ତୁ ଏହି ଦୃଶ୍ୟକୁ । ମନ୍ତ୍ରୀ ତୁଷାରିକାନ୍ତି ବେହେରାଙ୍କୁ କେମିତି ଘେରି ରହିଛନ୍ତି ତରକର ପଂଚାୟତର ଜଗନ୍ନାଥପୁର ଲୋକେ । ପ୍ରଚାର ପାଇଁ ଯାଇଥିବାବେଳେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି । ଦୀର୍ଘଦିନ ଧରି ଏଠାରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ ମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ ଆଣି ଲୋକେ ଘେରିଥିଲେ । ଆଉ ପୁଲିସ ପଂହଚି ମନ୍ତ୍ରୀଙ୍କୁ ସେଠାରୁ ନେଇଯାଇଥିଲା ।

ଟଙ୍କା ବାଂଟିବା ସନ୍ଦେହରେ ଧର୍ମଶାଳାରେ ତୁମୁଳକାଣ୍ଡ ହୋଇଛି । ଧର୍ମଶାଳାର ସମ୍ପାରୁ ପଂଚାୟତର କାଦୁଅମାଗୁରା ଗାଁକୁ ଆସିଥିଲେ ୧୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତୀ ଲେଙ୍କାଙ୍କ ସ୍ୱାମୀ କପିଳା ଲେଙ୍କା । ତେବେ ସେ କାହିଁକି ଗ୍ରାମକୁ ଆସିଥିଲେ, ସେ ନେଇ ପ୍ରଶ୍ନ କରିଥିଲେ ଗ୍ରାମବାସୀ । ନିର୍ବାଚନ ପାଇଁ ଭୋଟରଙ୍କୁ ଟଙ୍କା ବାଂଟିବା ସନ୍ଦେହରେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ । ପୁଲିସ ପଂହଚିବା ପରେ କପିଳା ଫେରାର ହୋଇଯାଇଥିଲେ । ଏହାକୁ ନେଇ ତାତିଥିଲେ ଲୋକେ । ପୋଲିସ ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହାପରେ ଲୋକେ ପୁଲିସ ଗାଡି ଭଙ୍ଗାରୁଜା କରିଥିଲେ । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥି ହିମାଂଶୁ ଶେଖର ସାହୁ ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଅନ୍ଧାରି ବିଜେକୁ ନେଇ ତାତିଛନ୍ତି ଗାଁ ଲୋକେ । ଫଳରେ ପୁଲିସ ହସ୍ତକ୍ଷେପ କରି ବିଧାୟକଙ୍କୁ ସୁରକ୍ଷିତ ଫେରାଇ ଆଣିଛି । ଧାମରା ପଂଚାୟତରେ ଜଣେ ବ୍ୟକ୍ତିଙ୍କ ଘରକୁ ଗତକାଲି ରାତିରେ ବିଧାୟକ ଯାଇଥିବାବେଳେ ଟଙ୍କା ବାଂଟୁଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ ଅଟକ ରଖିଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ହୋହଲ୍ଲା ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ବିଧାୟକଙ୍କୁ ଉଦ୍ଧାର କରିଥିଲା । ରାତି ଅଧରେ ନେତାଙ୍କ ଅନ୍ଧାରୀ ବିଜେ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।