ଆରମ୍ଭରୁ ଗର୍ଜିଲେ ବିଜେପିର ଚାଣକ୍ୟ: ‘୪ ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ’

74

କନକ ବ୍ୟୁରୋ: ମୋଦୀ ଆସିବା ପୂର୍ବରୁ ପୁଣି ଓଡ଼ିଶା ଆସିଛନ୍ତି ଅମିତ ଶାହା । ଆଉ ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣର ଗିଅରକୁ ଆହୁରୀ ବଢ଼ାଇଛନ୍ତି । ଖୋଲା ମଂଚରୁ ଚେତାବନୀ ଦେଇଛନ୍ତି, ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ । ରାଜ୍ୟରେ ବିଜେପି ସରକାର ଗଢ଼ିବ ଆଉ ଚିଟଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ । ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଜନସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ରାଜ୍ୟ ସରକାର, ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା ।

ବିଜେପିର ନେତା ନମ୍ବର-ଟୁ ଅମିତ ଶାହା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟରେ ଧୂଆଁଧାର ପ୍ରଚାର କରିଛନ୍ତି । ଉପକୂଳରେ ୩-୩ଟି ସନସଭା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ରାଜ୍ୟ ସରକାର, ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ।

୩ଟି ଯାକ ସଭାରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁୁ ଟାର୍ଗେଟ କରିଛନ୍ତି ଅମିତ ଶାହା । ବାରଣାସୀରୁ ଆସି ପ୍ରଥମେ ଚାନ୍ଦବାଲି ସଭାରେ ଯୋଗଦେଇଥିଲେ ଅମତି ଶାହ । ଆଉ ଜନସଭାରେ ଅମିତ ଶାହ କହିଥିଲେ, ଏହି ନିର୍ବାଚନ ହେଉଛି ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାଷା ପାଇଁ ଲଢେଇ । ଲୋକେ ନବୀନଙ୍କୁ ସହ୍ୟ କଲେ । କିନ୍ତୁ ତାମିଲବାବୁଙ୍କୁ ଆଉ ବରଦାସ୍ତ କରିବେ ନାହିଁ । ତେଣୁ ୪ ଜୁନରେ ନବୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ । ଓଡିଶା ଦେଖିବ ଯୁବ ମୁଖ୍ୟମନ୍ତ୍ରୀ ।

ଚାନ୍ଦବାଲି ଭଳି କୋରେଇ ଓ ନିମାପଡାରେ ବି ସମାନ ଢଙ୍ଗରେ ଆକ୍ରମଣ ଜାରି ରଖିଥିଲେ । ସ୍ଥାନୀୟ ଅଂଚଳ ପାଇଁ ପ୍ରତିଶ୍ରୃତି ପରେ ପ୍ରତିଶ୍ରୃତି ଦେଇଥିଲେ । ଅମିତ ଶାହା ଦମ୍ଭୋକ୍ତି କରିଥିଲେ, ଓଡିଶାରେ ଏଥର ବିଜେପି ସରକାର ଗଢିବ । ଦେଶରେ ୪ ଶହ ପାର କରିବ । ୧୮ ମାସ ମଧ୍ୟରେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲରେ ପୁରାଇବାକୁ ଗ୍ୟାରେଂଟି ଦେଇଛନ୍ତି ଅମିତ ଶାହା ।

ଅନ୍ତିମ ପର୍ଯ୍ୟାୟରେ ଚାନ୍ଦବାଲି, କୋରେଇ ଓ ନିମାପଡା ବିଧାନସଭା ଆସନର ଭୋଟ ଉପରେ ସାରା ରାଜ୍ୟର ନଜର ରହିଛି । ଚାନ୍ଦବାଲିରୁ ଲଢୁଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କୋରେଇରୁ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ନିମାପଡାରେ ବି ଏଥର ରାଜନୈତିକ ସମୀକରଣ ବଦଳିଥିବାରୁ କିଛି ଭିନ୍ନ ଚର୍ଚ୍ଚା ହେଉଛି । ତେଣୁ ଅମିତ ଶାହାଙ୍କ ପ୍ରଚାର ଏଠାରେ କି ପ୍ରକାର ପ୍ରଭାବ ପକାଉଛି ତା ଉପରେ ନଜର ରହିବ ।