ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣାରେ ଆସିଲା ସିସିଟିଭି ଫୁଟେଜ: ଭିଡିଓ ଜାରି କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

558

କନକ ବ୍ୟୁରୋ: ଇଭିଏମ ଭଙ୍ଗା ଓ ପ୍ରଶାନ୍ତ ଜଗଦ୍ଦେବ ଗିରଫ ଘଟଣାରେ ମୁହାଁମୁହିଁ ହୋଇଛନ୍ତି ଅପରାଜିତା ଓ ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପରେ ଦୁଇଟି ଭିଡିଓ ଜାରି କରିଛନ୍ତି ଭୁବନେଶ୍ୱର ସାଂସଦ । ଇଭିଏମ ଭଙ୍ଗା ଘଟଣାରେ ଜଗଦ୍ଦେବଙ୍କ କୌଣସି ସମ୍ପୃକ୍ତି ନଥିବା ଏକପ୍ରକାର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା । ସେପଟେ ବିଜେଡି କିନ୍ତୁ ଜଣେ ଅପରାଧୀଙ୍କୁ, ଅପରାଜିତା ପ୍ରଶଂସା କରୁଥିବା କହି ପାଲଟା କଟାକ୍ଷ କରିଛି । ଏହାରି ଭିତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଘଟଣାର ଅନୁଧ୍ୟାନ କରିବା ସହ ସତ୍ୟସତ୍ୟ ସାମନାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବୁଥ ଭିତରେ ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣା ନେଇ ଯେଉଁ ଦମ୍ଭରେ ଆସି ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କଲେ ଏବଂ ସିସିଟିଭି ସାମ୍ନାକୁ ଆଣିବାକୁ ଆହ୍ୱାନ ଦେଲେ । ସେଇ ଦମ୍ଭରେ ଏହାର କିଛି ସମୟ ପରେ ଦୁଇଟି ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଥିଲେ । ଏହି ଭିଡିଓରେ ଖୋର୍ଦ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ସ୍ପଷ୍ଟ ଦେଖା ଯିବା ସହ ବୁଥ ଭତରେ ଥିବା ତାଙ୍କ କାର୍ଯ୍ୟକଳାପ ଓ ଭାବଭଙ୍ଗି ମଧ୍ୟ ଦେଖାଯାଉଥିଲା । ଏମିତି କି ଆଉ ଏକ ଭିଡିଓରେ ଇଭିଏମ୍ ପଡ଼ିବାର ଶବ୍ଦ ମଧ୍ୟ ସ୍ପଷ୍ଟ ଶୁଣାଯାଉଛି ।

ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଥିବାବେଳେ, ତାଙ୍କର କୌଣସି ଭୁମିକା ନଥିବା କହିବା ସହ ସିସିଟିଭି ଫୁଟେଜ ଜାରି କରି ସରକାରଙ୍କୁ ଘେରିଛନ୍ତି ଅପରାଜିତା । ସିସିଟିଭିର ଯାଂଚ ନକରି ଜଣେ ବିଧାୟକଙ୍କୁ କିଭଳି ଗିରଫ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଅପରାଜିତା ଜଣେ ଅପରାଧୀଙ୍କୁ ପ୍ରଶଂସା କରୁଥିବା କହି କଟାକ୍ଷ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ରାଜନୈତିକ ବୟାନବାଜି ଭିତରେ ଖୋର୍ଦ୍ଧା ଏସପି କହିଛନ୍ତି-ସିସିଟିଭି ପାଇଁ ଆବେଦନ କରାଯାଇଛି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଆସି ନାହିଁ । ସେପଟେ ମନଗଢ଼ା କାହାଣୀ କୁହାଯାଉଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ।

ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିବାଦ ବଢ଼ୁଥିବାବେଳେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଘଟଣାର ଅନୁଧ୍ୟାନ କରିବା ସହ ସତ୍ୟସତ୍ୟ ସାମନାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।