ବିଶ୍ୱ ଟେଷ୍ଟ ଚାମ୍ପିୟନସିିପ : ଅଷ୍ଟ୍ରେଲିଆର ବଡ଼ ସ୍କୋର ପରେ ରୋହିତ୍, କୋହଲି, ପୂଜାରା ଫେଲ୍ । ୩୧୮ ରନରେ ପଛୁଆ ଟିମ୍ ଇଣ୍ଡିଆ

881

କନକ ବ୍ୟୁରୋ: ଓଭାଲରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ କରିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ । ଅଧିନାୟକ ରୋହିତ୍ ଶର୍ମା ମାତ୍ର ୧୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଇନଫର୍ମ ଶୁବମନ ଗିଲ୍ ମଧ୍ୟ କିଛି କମାଲ୍ କରିପାରିନଥିଲେ । ଗିଲଙ୍କୁ ୧୩ ରନରେ ଆଉଟ୍ କରିଥିଲେ ସ୍କଟ୍ ବୋଲାଣ୍ଡ । ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ଫେଲ୍ ମାରିଥଲେ । ଦୁହେଁ ୧୪ ରନ୍ ଲେଖାଏଁ କରିବାକୁ ସକ୍ଷମ ହୋଇଥିଲେ । ତେବେ ଟିମକୁ ପ୍ରତ୍ୟାବର୍ତନ କରିଥିବା ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜା ପଞ୍ଚମ ୱିକେଟ୍ ପାଇଁ ୭୧ ରନର ପାର୍ଟନରଶିପ୍ କରି ଭାରତର ସ୍ଥିତିରେ ସୁଧାର ଆଣିଥିଲେ । ହେଲେ ଜାଡେଜା ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଦ୍ରୁତ ରନ୍ କରିବା ପ୍ରୟାସରେ ଜାଡେଜା ୪୮ ରନ୍ କରି ନାଥନ ଲାୟନଙ୍କ ଶିକାର ହୋଇଥିଲେ । ରାହାଣେ ୨୯ ରନ୍ ଓ ଶ୍ରୀକର ଭରତ ୫ ରନ୍ କରି ନଟଆଉଟ୍ ରହିଛନ୍ତି ।

ଭାରତ ଏବେବି ୩୧୮ ରନରେ ପଛୁଆ ରହିଛି । ପୂର୍ବରୁ ଦ୍ୱିତୀୟ ଦିନରେ ୩ ୱିକେଟରେ ୩୨୭ ରନରୁ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ୍ କରି ଅଲଆଉଟ ହୋଇଥିଲା । ଟ୍ରାଭିସ ହେଡ୍ ୧୬୩ ଓ ଷ୍ଟିଭ୍ ସ୍ମିଥ ୧୨୧ ରନ୍ କରିଥିଲେ । ଭାରତର ମହମ୍ମଦ ସିରାଜ ୪ଟି ସଫଳତା ପାଇଥିଲେ ।