ଟଙ୍କା ଦେବାକୁ ମନା କଲା ଦଳ: ଟିକେଟ ଫେରାଇଲେ ସୁଚରିତା

227

କନକ ବ୍ୟୁରୋ: ନାମାଙ୍କନ ପତ୍ର ଦାଖଲ ପାଇଁ ଦୁଇ ଦିନ ବାକି ଥିବା ବେଳେ ଟିକେଟ ଫେରାଇଦେଇଛନ୍ତି ପୁରୀ ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି । ନିର୍ବାଚନ ଲଢ଼ିବା ପାଇଁ ଦଳ ଟଙ୍କା ଦେବାକୁ ମନା କରିଦେବାରୁ ଟିକେଟ ଫେରାଇ ଥିବା କହିଛନ୍ତି ସୁଚରିତା । କିନ୍ତୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି, ଦଳ ପ୍ରାର୍ଥୀ ବଦଳାଇବାକୁ ଚାହୁଁଥିଲା ଏହି ଖବର ସୁଚରିତା ଜାଣିବା ପରେ ନିଜେ ଟିକେଟ ଫେରାଇଥିବା କହିଛନ୍ତି ପ୍ରଭାରୀ ଅଜୟ କୁମାର ।

ସୋମବାର ନାମାଙ୍କନର ଶେଷ ଦିନ । ଦୁଇ ଦିନ ପୂର୍ବରୁ ଟିକେଟ୍ ଫେରାଇ ଦେଇଛନ୍ତି କଂଗ୍ରେସ ନେତ୍ରୀ ସୁଚରିତା ମହାନ୍ତି । ପୁରୀ ଲୋକସଭା ଆସନ ପାଇଁ ସୁଚରିତାଙ୍କୁ ପ୍ରାର୍ଥୀ କରିଥିଲା ଦଳ । କିନ୍ତୁ ଶେଷ ମୁହୁର୍ତରେ ନିର୍ବାଚନରୁ ସେ ଓହରି ଯାଇଛନ୍ତି । ଆଉ ଏସଂପର୍କରେ ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଇମେଲ୍ କରି ଜଣାଇ ଦେଇଛନ୍ତି । ସେ କହିଛନ୍ତି
ପ୍ରଚାର ପାଇଁ ଫଣ୍ଡ ଦେବାକୁ ମନା କଲା ଦଳ
କ୍ରାଉଡ ଫଣ୍ଡିଂ ପାଇଁ ଉଦ୍ୟମ କରିଥିଲେ ବି ତାହା ସଫଳ ହେଲାନାହିଁ
ପୁରୀ ଲୋକସଭା ଅଧୀନରେ ଥିବା ୭ ବିଧାନସଭାରେ ଦୁର୍ବଳ ପ୍ରାର୍ଥୀ ଦେଇଛି ଦଳ

ପୁରୀରେ ଉଭୟ ବିଜେଡି ଓ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଏପରି ସ୍ଥିତିରେ ସୁଚରିତାଙ୍କ ଟିକେଟ ଫେରାଇବା ପୁରୀରେ କଂଗ୍ରେସର ସ୍ଥିତିକୁ ଦୁର୍ବଳ କରିଦେଇଛି । ଏପଟେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି, ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତା ଦଳ । ଆଗରୁ ଜାଣିବା ପରେ ସେ ଟିକେଟ୍ ଫେରାଇଛନ୍ତି । ଫଣ୍ଡିଂର କୌଣସି ସମସ୍ୟା ନଥିଲା ।

୨୦୧୪ରେ ପୁରୀ ଲୋକସଭା ଆସନରେ ପୂର୍ବତନ ସାଂସଦ ବ୍ରଜମୋହନ ମହାନ୍ତିଙ୍କ ଝିଅ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ । ଅଢ଼େଇ ଲକ୍ଷରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ ।