୫ ଆସନ ପାଲଟିଛି ସମ୍ମାନର ଆସନ: ସମ୍ବଲପୁର, ବ୍ରହ୍ମପୁର, କଟକ, ପୁରୀ ଭୁବନେଶ୍ୱର ଉପରେ ବିଜେଡି ଓ ବିଜେପିର ଫୋକସ

264

କନକ ବ୍ୟୁରୋ: ରାଜ୍ୟର ୫ଟି ଲୋକସଭା ଆସନ, ଯାହା ଉଭୟ ବିଜେପି ଓ ବିଜେଡି ପାଇଁ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ସମ୍ମାନର ପ୍ରଶ୍ନ । ସମ୍ବଲପୁର, ବ୍ରହ୍ମପୁର, କଟକ, ପୁରୀ ଓ ଭୁବନେଶ୍ୱର ଏହି ଆସନରେ ହାଇପ୍ରୋଫାଇଲ ନେତା ମଇଦାନକୁ ଓହ୍ଳାଇଛନ୍ତି । ମୋଦୀ-ନବୀନ ଏହି ଆସନ ପାଇଁ ପ୍ରଚାରରେ ସାମନା ସାମନି ମଧ୍ୟ ହେବାର ସମ୍ଭାବନା ରହିଛି । ସମ୍ବଲପୁର, ବ୍ରହ୍ମପୁର, କଟକ, ପୁରୀ ଭୁବନେଶ୍ୱର । ଏହି ୫ଟି ହାଇପ୍ରୋଫାଇଲ ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସମ୍ବଲପୁର
ଧର୍ମେନ୍ଦ୍ର ପ୍ରଧାନ- ବିଜେପି
ପ୍ରଣବ ପ୍ରକାଶ ଦାସ- ବିଜେଡି
ସାରାରାଜ୍ୟର ସମ୍ବଲପୁର ଉପରେ ନଜର ରହିଛି । କାରଣ ବାଜିରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ରାଜନୈତିକ ଭାଗ୍ୟ । ଜଣେ ୧୫ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି, ଆଉଜଣେ ଉପକୂଳରେ ନିଜ ଗଡ ଛାଡି ପଶ୍ଚିମ ଓଡିଶାକୁ ଯାଇଛନ୍ତି । ତେଣୁ ଉଭୟ ଦଳ ପାଇଁ ସମ୍ମାନର ଲଢେଇ ପାଲଟିଛି ସମ୍ବଲପୁର ।

ବ୍ରହ୍ମପୁର
ପ୍ରଦୀପ ପାଣିଗ୍ରାହୀ- ବିଜେପି
ଭୃଗୁବକ୍ସି ପାତ୍ର- ବିଜେଡି
ଜେପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବ୍ରହ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେଣୁ ଏହା ପ୍ରଦୀପ ପାଣିଗ୍ରାହୀଙ୍କ ଅପେକ୍ଷା ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ଉଭୟ ବିଜୟ ଓ ପରାଜୟ ମୋଦୀଙ୍କ ଲୋକପ୍ରିତୟାର ବଡ ପରୀକ୍ଷା ହେବ । ଅନ୍ୟପଟେ ନବୀନଙ୍କ ହୋମ ଗ୍ରାଉଣ୍ଡ ହୋଇଥିବାରୁ ବ୍ରହ୍ମପୁର ବିଜୟ ବିଜେଡି ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ।

ପୁରୀ
ସମ୍ବିତ ପାତ୍ର,- ବିଜେପି
ଅରୁପ ପଟ୍ଟନାୟକ- ବିଜେଡି
ପୁରୀ ପରିକ୍ରମା ପ୍ରକଳ୍ପ ପରେ ନବୀବଙ୍କ ନଜରରେ ରହିଛି ପୁରୀ ସଂସଦୀୟ କ୍ଷେତ୍ର । ପୁରୀ ଆସନ ଦଖଲ କରିବା ପାଇଁ ବହୁ ଆଗରୁ ରଣନୀତି କରିଛି ବିଜେଡି । ବିଜେପିର ଟିଭି ଚେହେରା ସମ୍ବିତ ପାତ୍ର ମଧ୍ୟ ପୁରା ଦମ ଲଗାଇ ଆସନ ଅକ୍ତିଆର କରିବାକୁ ପ୍ରୟାସ ଚଳାଇଛନ୍ତି ।

କଟକ—
ସଂତୃପ୍ତ ମିଶ୍ର- ବିଜେଡି
ଭର୍ତୃହରି ମହତାବ- ବିଜେପି
କଟକରେ କର୍ପୋରେଟ ଚେହେରା ବନାମ ହେଭିୱଟ୍ ରାଜନେତା । ଜଣେ ନବୀନ କ୍ୟାମ୍ପ ଛାଡି ମୋଦୀ କ୍ୟାମ୍ପରେ ଫେଭରିଟ ପାଲଟିଯାଇଛନ୍ତି । ଆଉଜଣେ ବିଜେଡି କ୍ଷମତା କେନ୍ଦ୍ରର ଗୁଡବୁକ୍ରେ ଥିବା କୁହାଯାଉଛି । ତେଣୁ ଏଠି ମଧ୍ୟ ଲଢେଇ ଆର ପାର ହେବାକୁ ଯାଉଛି ।

ଭୁବନେଶ୍ୱର
ଅପରାଜିତା ଷଡଙ୍ଗୀ- ବିଜେପି
ମନ୍ମଥ ରାଉତରାୟ- ବିଜେଡି
ରାଜ୍ୟର ରାଜଧାନୀ ଭୁବନେଶ୍ୱର । କ୍ଷମତା ଦଖଲ ପାଇଁ ବିଜେଡି ଜନପ୍ରିୟ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରି ନୂଆ ଚାଲ ଖେଳିଛି । ଆଉ ସେପଟେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ମଧ୍ୟ ଦ୍ୱିତୀୟଥର ସଂସଦକୁ ନିର୍ବାଚିତ ହେବା ପାଇଁ ଦୀର୍ଘଦିନ ହେଲା ଘର ସଜାଡୁଛନ୍ତି ।

କାହିଁକି ଗୁରୁତ୍ୱବହନ କରୁଛି ଏହି ଆସନ?
-୫ ସଂସଦୀୟ କ୍ଷେତ୍ର ଉଭୟ ବିଜେଡି-ବିଜେପି ପାଇଁ ମର୍ଯ୍ୟାଦାର ପ୍ରଶ୍ନ
– ମୋଦୀ-ନବୀନ ଏହି ଆସନ ପାଇଁ ପ୍ରଚାରରେ ସାମନା ସାମନି ହେବେ
– ଏହି ଆସନରେ ଲଢୁଛନ୍ତି ଉଭୟ ଦଳର ହାଇପ୍ରୋଫାଇଲ ନେତା
– ପ୍ର୍ାର୍ଥୀ ହାରିଲେ ରାଜନୈତିକ ଭବିଷ୍ୟତ ବିପଦରେ ପଡିବ
– ଜିତିଲେ ଦଳରେ ଓ ରାଜ୍ୟ ରାଜନୀତିରେ ପତିଆରା ବଢି଼ବ