ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ବୟସ୍କଙ୍କୁ ସତର୍କ ରହିବାକୁ ପରାମର୍ଶ

211

କନକ ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣ ୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି ସାବଧାନ ରହିବାକୁ ସେ କହିଛନ୍ତି । ତେବେ ଥଣ୍ଡା, କାଶ ଅଧିକ ସମୟ ଶରୀରରେ ରହୁଥିବାରୁ ଚିନ୍ତା ବଢିବାରେ ଲାଗିଛି ।

  • କରୋନା ପରି ମାଡୁଛି ଏଚ୩ଏନ୨
  • ବୟସ୍କଙ୍କୁ ସତର୍କ ରହିବାକୁ ପରାମର୍ଶ

ଏଚ୩ଏନ୨ ସଂକ୍ରମଣର ଲକ୍ଷଣ

ଏଚ୩ଏନ୍-୨ରେ ପୀଡିତ ଲୋକଙ୍କ ଠାରେ ଥଣ୍ଡା, କାଶ, ଜ୍ୱର, ନାକରୁ ପାଣି ବାହାରିବା, ଶ୍ୱାସ କ୍ରିୟାରେ ସମସ୍ୟା, ଗଳା ଦରଜ, ଗଳାରେ କଫ ଜମିବା, ଦେହ ଦରଜ ଭଳି ଲକ୍ଷଣ ଦେଖାଦେଉଛି । କିନ୍ତୁ ସାଧାରଣ ଥଣ୍ଡା, କାଶ, ଜ୍ୱରଠୁ ଏହା ଅଧିକ ସମୟ ଶରୀରରେ ରହୁଥିବାରୁ ଚିନ୍ତା ବଢିବାରେ ଲାଗିଛି । ସେପଟେ ରଣଦୀପ ଗୁଲେରିଆ କହିଛନ୍ତି ଏହା ଇନଫ୍ଲୁଏଞ୍ଜା ସଂକ୍ରମଣ ଓ ପ୍ରତିବର୍ଷ ଏହି ସମୟରେ ଦେଖା ଦେଇଥାଏ ।

  • କୋଭିଡ ନିୟମ ପାଳନ କରନ୍ତୁ
  • ଭୂତାଣୁ ସଂକ୍ରମଣରୁ ଦୁରେଇ ରୁହନ୍ତୁ

ଦେଶର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ଏଚ୩ଏନ୍-୨ ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଶ୍ୱସ୍ତିର କଥା ହେଉଛି ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉନାହିଁ । ସେପଟେ ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । କାଶ ଥଣ୍ଡାକୁ ଡରନ୍ତୁ ନାହିଁ । କୋଭିଡ ନିୟମ ପାଳନ କରି ସୁସ୍ଥ ରୁହନ୍ତୁ । ଆଇସିଏମଆର ପରାମର୍ଶ ଦେଇଛି…

କ’ଣ କରିବେ ?

  • ନିୟମିତ ଭାବେ ହାତକୁ ବାରମ୍ବାର ଧୁଅନ୍ତୁ
  • ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ
  • ଫ୍ଲୁ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ
  • ଛିଙ୍କିବା ଓ କାଶିବା ବେଳେ ମୁହଁ ଓ ନାକକୁ ଘୋଡାଇ ରଖନ୍ତୁ
  • ପ୍ରଚୁର ପାଣି ପିଅନ୍ତୁ
  • କାହା ସହିତ ହାତ ମିଳାନ୍ତୁ ନାହିଁ
  • ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ
  • ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ
  • ସାମାଜିକ ଦୂରତା ରକ୍ଷା କରନ୍ତୁ

ରଣଦୀପ ଗୁଲେରିଆ କହିଛନ୍ତି ପ୍ରତିବର୍ଷ ଏହି ସମୟରେ ଏହି ଭୂତାଣରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି । କରୋନା ପୂର୍ବରୁ ଏଚ୧ଏନ୧ ଭାଇରସ ଦେଖିବାକୁ ମିଳିଥିଲା । ଯାହା ଏବେ ମ୍ୟୁଟେଟ ହୋଇ ଏଚ୩ଏନ୨ ଭାବେ ବ୍ୟାପୁଛି । ସତର୍କ ରହିଲେ ଭୂତାଣୁରୁ ସୁରକ୍ଷିତ ରହିପାରିବେ ।