ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି, ନିର୍ଦ୍ଦେଶାନାମା ଜାରି କଲା କେରଳ ବିଶ୍ୱବିଦ୍ୟାଳୟ

132

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ମିଳିବ ୬ ମାସର ମ୍ୟାଟରନିଟି ବା ମାତୃତ୍ୱ ଛୁଟି । ଏଭଳି ବଡ଼ ଘୋଷଣା କରିଛି କେରଳ ବିଶ୍ୱବିଦ୍ୟାଳୟ । ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ବର୍ଷରୁ ଅଧିକ ଛାତ୍ରୀଙ୍କୁ ମାତୃତ୍ୱ ଲାଭ ପାଇଁ ଛୁଟି ମିଳିବ । ଏନେଇ କେରଳ ବିଶ୍ୱବିଦ୍ୟାଳୟ ଏକ ନିର୍ଦ୍ଦେଶାନାମା ଜାରି କରିଛି । ନିର୍ଦ୍ଦେଶାନାମା ଅନୁସାରେ, ଯେଉଁ ଛାତ୍ରୀମାନେ ଗ୍ରାଜୁଏସନ୍ ବା ପୋଷ୍ଟ ଗ୍ରାଜୁଏସନ୍ କରୁଛନ୍ତି ଓ ବିବାହ ପରେ ଗର୍ଭବତୀ ଅଛନ୍ତି, ସେମାନେ ଏହି ଛୁଟି ନେଇପାରିବେ ।

ପୂର୍ବରୁ ଏହି ସୁବିଧା କେବଳ ପିଏଚଡି ଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିଲା । କେରଳ ବିଶ୍ୱବିଦ୍ୟାଳୟ ବ୍ୟତୀତ କେରଳ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ମଧ୍ୟ ଛାତ୍ରୀମାନଙ୍କୁ ୬ମାସର ମାତୃତ୍ୱ ଛୁଟି ଦେବାକୁ ନିଷ୍ପତି ନେଇଛି । କେବଳ ଏତିକି ନୁହେଁ, ୬ମାସ ପରେ ପୁଣିଥରେ ଆଡମିଶନ୍ କରାଇବା ମଧ୍ୟ ଆବଶ୍ୟନ ନାହିଁ । ଛୁଟିରୁ ଫେରିବା ପରେ ଛାତ୍ରୀମାନେ ବିନା ସମସ୍ୟାରେ ପାଠପଢ଼ା ପୁଣି ଆରମ୍ଭ କରିପାରିବେ । ରାଜ୍ୟରେ ପୂର୍ବରେ ମାସିକ ଋତୁସ୍ରାବ ସମୟରେ ଛାତ୍ରୀଙ୍କ ଉପସ୍ଥାନକୁ ୭୫ରୁ ୭୩ ପ୍ରତିଶତ କରାଯାଇଛି ।