ଦେଶରେ କରୋନା ଉପରମୁହାଁ । ସପ୍ତାହକ ଭିତରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି । ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶରେ ସର୍ବାଧିକ ସଂକ୍ରମଣ

134

କନକ ବ୍ୟୁରୋ: ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ । ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବାବେଳେ ଏହି ୩ ରାଜ୍ୟର ପ୍ରମୁଖ ଯୋଗଦାନ ରହିଛି । ଗତ ସପ୍ତାହରେ ଦିଲ୍ଲୀରୁ ୬୩୨୬, ହରିୟାଣାରୁ ୨୨୯୬ ଓ ୟୁପିରୁ ୧୨୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ଦୁଇ ଗୁଣ ଅଧିକ ।

ତେବେ ଓମିକ୍ରନର ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି, ନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ଦୀର୍ଘ ବ୍ୟବଧାନ ହୋଇଯିବାରୁ ଲୋକଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣ ଉପରମୁହାଁ ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଆଶ୍ୱସ୍ତିର କଥା ହେଉଛି ସଂକ୍ରମଣ ଉପରମୁହାଁ ହୋଇଥିଲେ ବି ମୃତ୍ୟୁ ସଂଖ୍ୟା ସେହି ଅନୁପାତରେ ବୃଦ୍ଧି ପାଉନାହିଁ ।

ସୋମବାର ମଧ୍ୟ ଦେଶରେ ୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୨୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦ ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ମୋଟ ୧୬ ହଜାର ୫୨୨ରେ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି । ଏପ୍ରିଲ ୧୮ ରୁ ୨୪ ଭିତରେ ଦେଶରେ ୧୫ ହଜାର ୭୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ପୂର୍ବ ସପ୍ତାହରେ ସାରାଦେଶରୁ ୮୦୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ଖୁବ କମ୍ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ରାଜ୍ୟରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୋମବାର ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୮୭୯ ନମୂନା ପରୀକ୍ଷା ହୋଇଥିବାବେଳେ ଦୈନିକ ସଂକ୍ରମଣ ହାର ୦.୦୫ ପ୍ରତିଶତ ରହିଛି । ରବିବାର ୧୧ ଜଣ କରୋନାରୁ ସୁସ୍ଥ ହେବାପରେ ରାଜ୍ୟରେ ମୋଟ୍ ୮୩ ସକ୍ରିୟ ମାମଲା ରହିଛି ।

କରୋନା ସଂକ୍ରମଣ ବଢୁଥିଲେ ମଧ୍ୟ ବ୍ୟାପକ ଟିକାକରଣ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ମୋଟ୍ ୧୯୨ କୋଟି ୭୪ ଲକ୍ଷ ଡୋଜ୍ ଟିକା ଦିଆଯାଇ ସାରିଛି । ତେବେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଗାମୀ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ବୈଠକରେ କରୋନାର ତାଜା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ । ସମ୍ଭାବ୍ୟ ଚତୁର୍ଥ ଲହରର ଆଶଙ୍କା ଭିତରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ ।