ବିଦ୍ୟୁତ୍ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା । ଖରାବୃଦ୍ଧି  ଓ ପିଲାଙ୍କ ପରୀକ୍ଷା ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ।

127

କନକ ବ୍ୟୁରୋ : ପ୍ରବଳ ଗରମ ଯୋଗୁଁ ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଆଉ ବୋଝ ଉପରେ ନଳିତା ବିଡା ସାଜିଛି, ପାୱାର କଟ୍ ।ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ୍ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଉଛି । ଚାରିଆଡୁ ଅଭିଯୋଗ ଆସିବା ପରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେପଟେ ଗ୍ରୀଡକୋ କହିଛି, ବିଦ୍ୟୁତ ଚାହିଦା ବଢିଯିବାରୁ ଏଭଳି ସମସ୍ୟା ଦେଖା ଦେଇଛି, ଶୀଘ୍ର ଏହାର ସମାଧାନ କରାଯିବ ।

ଏପଟେ ନିଆଁ ବର୍ଷା, ସେପଟେ ବିଜୁଳି କାଟ । ଏପ୍ରିଲ ମାସରେ ରେକର୍ଡ ଭଙ୍ଗା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏହା ଉପରେ ବେଡି ଉପରେ କୋରଡ଼ା ମାଡ଼ କରୁଛି ପାୱାର କଟ୍ । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠି ଏକା ସ୍ଥିତି । ଘଂଟା ଘଂଟା ଅଘୋଷିତ ବିଜୁଳି କାଟ, ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ଲୋକଙ୍କ ଅଭିଯୋଗ ହେଉଛି, ଥରେ ଲାଇନ କଟିଗଲେ, କେବେ ଆସିବ ଜଣା ପଡୁନାହିଁ । ଦିନ ହେଉ କି ରାତି ବିଜୁଳି କାଟରୁ ନିସ୍ତାର ମିଳୁନାହିଁ । ଆକାଶରୁ ନିଆଁ ବର୍ଷୁଥିବା ବେଳେ ବିଜୁଳି ନଥିବାରୁ ଘର ଭିତରେ ରହିପାରୁନାହାନ୍ତି ଲୋକେ । କିଏ ଗଛ ମୂଳେ ବସୁଛି ତ କିଏ ଗରମର ରକ୍ଷା ପାଇବା ପାଇଁ ହାତରେ ଯାହା ପାଇଲା ସେଥିରେ ବିଂଚି ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ପାୱାର କଟ୍ ନେଇ ଚାରିଆଡୁ ଅଭିଯୋଗ ହେବା ପରେ ଏ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଭିଡିଓ କନଫରେନସିଂରେ ହୋଇଥିବା ବୈଠକରେ  ଶକ୍ତି ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଖରା ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

– ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଂଚଳରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି

– ମେ’ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ

– ଦିନ ସମୟରେ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

– ସମସ୍ତ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାକୁ ଉନ୍ନତମାନର କୋଇଲା ଯୋଗାଇ ଦେବାକୁ ଏମ୍ସିଏଲ୍କୁ ନିର୍ଦ୍ଦେଶ

ଏପଟେ ଗ୍ରିଡକୋ ପକ୍ଷରୁ କୁହାଯାଇଛିି, ଅନ୍ୟ ରାଜ୍ୟରେ କୋଇଲାର ଅଭାବ ଥିଲେ ବି ଓଡ଼ିଶାରେ କୋଇଲାର ଅଭାବ ନାହିଁ । ତେବେ ଏପ୍ରିଲ ମାସରେ ତାତି ବଢିଥିବାରୁ ଏଥର ଚାହିଦା ବଢ଼ିଯାଇଛି । ଏହା ସାମୟିକ ସମସ୍ୟା, ଶୀଘ୍ର ସୁଧୁରିଯିବ ବୋଲି କହିଛନ୍ତି ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ।

ସେପଟେ ଟରବାଇନ ଖରାପ ଯୋଗୁଁ ଏନଟିପିସି ଦର୍ଲିପାଲି ୟୁନିଟ-୧ର ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ରାଜ୍ୟକୁ ମିଳୁଥିବା ବିଦ୍ୟୁତ ପ୍ରଭାବିତ ହୋଇଛି । ଦିଲ୍ଳୀରୁ ଟେକ୍ନିକାଲ ଟିମ୍ ଆସି ପହଁଚିଛନ୍ତି, ତେବେ ସମସ୍ୟାର ସମାଧାନ ପାଇଁ ୧୫ରୁ ୨୦ଦିନ ଲାଗିବ ବୋଲି କହିଛନ୍ତି ଏନଟିପିସିର ଚିଫ୍ ଜେନେରାଲ ମ୍ୟାନେଜର ।  ଅଘୋଷିତ ବିଜୁଳି କାଟ ନେଇ ରାଜ୍ୟବାସୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଏହାର ସମାଧାନ କେବେ ହେବ, ତାକୁ ଉତ୍କଣ୍ଠାର ସହ ସମସ୍ତେ ଚାହିଁ ବସିଛନ୍ତି ।