ଗାଁ ଗାଁରେ ଆରମ୍ଭ ହେଲା ଘର କଳି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ବିଭିନ୍ନ ସ୍ଥାନରେ ତେଜୁଛି ଅସନ୍ତୋଷ। 

373

କନକ ବ୍ୟୁରୋ:  ପୁରୀ ଜିଲ୍ଲା କଣାସ ବ୍ଲକ ଗଡସାହି ପଂଚାୟତ ବେଣାଗାଁର  ଉର୍ମିଳା ପ୍ରଧାନ । ପଲିଥିନ୍ ଘୋଡା ହୋଇଛି ତାଙ୍କ ଘର । ଆଶା ରଖିଥିଲେ ଏଥର ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବ । ପକା ଘର ଖଣ୍ଡିଏ କରିବେ । ବର୍ଷା, ବାତ୍ୟା ଦାଉରୁ ରକ୍ଷା ପାଇବେ । ହେଲେ, ସୋମବାର ପ୍ରକାଶ ପାଇଥିବା ତାଲିକା ଦେଖି ସେ ନିରାଶ ହୋଇଛନ୍ତି ।

ଭଙ୍ଗାଦଦରା ଘରେ ରହୁଥିବା ଜୟନ୍ତୀ ବି ଭାବିଥିଲେ ଏଥର ତାଙ୍କୁ ଘର ଖଣ୍ଡିଏ ମିଳିବ । କିନ୍ତୁ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାଁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ଉର୍ମିଳା କି ଜୟନ୍ତୀ ନୁହଁନ୍ତି ଏହି ପଞ୍ଚାୟତର ଘର ପାଇବାକୁ ଅନେକ ଲୋକ ଚାହିଁ ରହିଥିବାବେଳେ ସେମାନଙ୍କ ନାଁ ତାଲିକାରେ ନାହିଁ । ପଞ୍ଚାୟତରେ ମରାଯାଇଥିବା ତାଲିକାରେ ମାତ୍ର ଜଣଙ୍କ ନାଁ ପ୍ରକାଶ ପାଇଛି । ସୂଚନା ଅନୁସାରେ ପଞ୍ଚାୟତରେ ପ୍ରାୟ ୯ଜହାରରୁ ଅଧିକ ଲୋକ ରହୁଛନ୍ତି । ୪ହଜାର ଭୋଟର ଅଛନ୍ତି । ହେଲେ ଆବାସ ଘର ପାଇବାକୁ ମାତ୍ର ଜଣଙ୍କ ନାଁ ପ୍ରକାଶ ପାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଘର ଆଶାୟୀ ।

ତାଲିକା ପ୍ରକାଶ ପାଇବା ପରେ ମୁହାଁମୁହିଁ ହୋଇଛନ୍ତି ବନ୍ଧୁଗାଁ ବ୍ଲକର ବିଡିଓ ଓ ସରପଞ୍ଚ । ଏପରିକି ଥାନାରେ ପରସ୍ପର ପରସ୍ପର ବିରୋଧରେ ଏତଲା ଦେଇଛନ୍ତି । ଯାହା ସ୍ଥାନୀୟ ରାଜନୀତିକୁ ଉଷ୍ଣ କରିଛି । ସରପଞ୍ଚମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଯେଉଁମାନଙ୍କ ନାଁ ଥିଲା ପ୍ରକାଶ ପାଇଥିବା ତାଲିକାରେ ସେମାନଙ୍କ ନାଁ ନାହିଁ । ଏନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିବାବେଳେ ସେ ସରପଞ୍ଚମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଅନ୍ୟପଟେ ସରପଞ୍ଚମାନଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ବିଡିଓ ।

ଆବାସ ଯୋଜନାରେ କାହାକୁ ଘର ମିଳିବ ସେହି ହିତାଧିକାରୀମାନଙ୍କ ତାଲିକା ପ୍ରକାଶ ପାଇବା ପରେ ତେଜିଛି ରାଜନୀତି । ତାଲିକାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ସହ ସାଢ଼େ ୯ଲକ୍ଷ ଘରକୁ ସ୍ୱଛତାର ସହ ବଣ୍ଟନ କରିବାକୁ ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ । ଜବାବରେ ବିଜେଡି କହିଛି, ବିଜେପି ନେତା ଜାଣିନାହାଁନ୍ତି ବାସ୍ତବ ସତ୍ୟ । ରାଜନୀତି କରିବା ପାଇଁ ଏପରି କରୁଛନ୍ତି ।

କେବଳ ପୁରୀ କି କୋରାପୁଟ ନୁହେଁ ସାରାରାଜ୍ୟରେ ଏହି ଅବସ୍ଥା । ଆଉ ଆବାସ ଯୋଜନା ତାଲିକାକୁ ନେଇ ପଂଚାୟତ ସ୍ତରରେ ଆରମ୍ଭ ହୋଇଥିବା ଏହି କଳି ଆଗକୁ ଆହୁରି ଜୋରଦାର ହେବ ବୋଲି କୁହାଯାଉଛି । ଯାହାର ପ୍ରଭାବ ପ୍ରତି ଗାଁରେ ଆଗକୁ ଦେଖିବାକୁ ମିଳିପାରେ ।