ସର୍ବସ୍ୱାନ୍ତ କରିଦେଲା ରାତିର ନିଆଁ । ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ତଳିତଳାନ୍ତ ହୋଇ ଗଲେ ବେଲଗୁଣ୍ଠାର ୫ଟି ପରିବାର ।

118

କନକ ବ୍ୟୁରୋ: ରାତିରେ ସବୁ କିଛି ଠିକଠାକ୍ ଥିଲା । ଚାଳ ଘରେ ପରିବାରର ସର୍ବଶ୍ୱ ଥିଲା । ହେଲେ ରାତି ପାହି ସକାଳ ହେବା ବେଳକୁ ସବୁ ଅଙ୍ଗାର ପାଲଟିଯାଇଛି । ପାଉଁଶ ହୋଇଯାଇଛି ଆସବାବପତ୍ର, ଧାନ ଚାଉଳ । ରାସ୍ତାକଡକୁ ଚାଲି ଆସିଛନ୍ତି ପୁରା ପରିବାର । ପାଖରେ କେବଳ ପିନ୍ଧିଥିବା ବସ୍ତ୍ରକୁ ଛାଡି ଦେଲେ ଆଉ କିଛି ନାହିଁ । ବିଳମ୍ବିତ ରାତିରେ ଲାଗିଥିବା ନିଆଁ ୫ଟି ପରିବାରକୁ ବାସହରା କରିଦେଇଛି ।

ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗୋଠଲୁଣ୍ଡା ନିକଟ ବଣିଆପଲ୍ଲୀ ବୁଧବାର ରାତିର ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ରାତିରେ ଲୋକମାନେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଲୋକମାନେ ନିଦରୁ ଉଠି ଜୀବନ ବିକଳରେ ଘରୁ ବାହାରି ଆସିବାରୁ ଜୀବନ ବଂଚି ଯାଇଛି । ହେଲେ ପାଂଚ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇଛି । ନିଆଁ ସର୍ବସ୍ୱ ଗିଳି ଦେବା ପରେ ଗରିବ ଶ୍ରେଣୀ ୫ ପରିବାର ଶିତ କାକରରେ ଗାଁ ଦାଣ୍ଡରେ ପଡ଼ି ରହିଛନ୍ତି । ଖାଦ୍ୟ ସହ ବାସ ଯୋଗାଇ ଥଇଥାନ କରିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି ଅଗ୍ନି ବିପନ୍ନ ।