ସୁଟିଂ ପାଇଁ ସ୍ଥାନ ବାଛୁଥିଲେ । ଚୋରି ହୋଇଗଲା ହୀରା ମୁଦି । ଦାମ ଥିଲା ୪୫ ଲକ୍ଷ ।

269

କନକ ବ୍ୟୁରୋ: ହୀରା ମୁଦି ପାଇଁ ଥାନାରେ ମାମଲା । ଚଳଚ୍ଚିତ୍ର ସୁଟିଂ ପାଇଁ ଆସିଥିବା ବେଳେ ହଜିଯାଇଛି ୪୫ଲକ୍ଷ ଟଙ୍କା ମୂଲ୍ୟର ହୀରା ମୁଦି । ଆଦିବାସୀ ସଂସ୍କୃତି ଉପରେ ଫିଲ୍ମ ନିର୍ମାଣ ପାଇଁ କୋରାପୁଟକୁ ମୁମ୍ବାଇ ଓ ଭୁବନେଶ୍ୱରରୁ ୨ଟି ଟିମ୍ ଆସିଥିଲେ । ହେଲେ ଗୁପ୍ତେଶ୍ୱର ଅଞ୍ଚଳରେ ସ୍ଥାନ ନିରୂପଣ କରୁ କରୁ ପ୍ରଯୋଜକ କେ. ତମନ୍ନାଙ୍କ ହୀରା ମୁଦି ଚୋରି ହୋଇଯାଇଛି । ପ୍ରଯୋଜକ କେ. ତମନ୍ନା ଏନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି । ନିର୍ମାତା ଟିମ୍କୁ ସହଯୋଗ କରୁଥିବା ବୈପାରୀଗୁଡା ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିବା ସହ ପଚରାଉଚରା କରୁଛି ।

  • ସୁଟିଂ ପାଇଁ ସ୍ଥାନ ବାଛୁଥିଲେ
  • ଚୋରି ହୋଇଗଲା ହୀରା ମୁଦି

କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର ଗୁପ୍ତେଶ୍ୱର ଅଞ୍ଚଳରେ ଫିଲ୍ମ ସୁଟିଂ ପାଇଁ ସ୍ଥାନ ନିରୂପଣ ଚାଲିଥିଲା । ଆଦିବାସୀ ସଂସ୍କୃତି ଉପରେ ଏକ ଚଳଚିତ୍ର ନିର୍ମାଣ କରିବାକୁ ମୁମ୍ବାଇ ଓ ଭୁବନେଶ୍ୱରରୁ ଆସିଥିବା ନିର୍ମାତା ଓ ପ୍ରଯୋଜକଙ୍କ ଦଳ ଜାଗା ବାଛୁଥିଲେ । ହେଲେ ଏହାରି ଭିତରେ ପ୍ରଯୋଜକ କେ. ତମନ୍ନାଙ୍କ ହୀରା ମୁଦି ଚୋରି ହୋଇଯାଇଥିଲା । ହୀରା ମୁଦି ୩ କ୍ୟାରେଟର ଓ ଏହାର ମୂଲ୍ୟ ୪୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ପ୍ରଯୋଜକ ହାତରେ ୩ଟି ମୁଦି ପିନ୍ଧିଥିଲେ । ପାହାଡ ଚଢିବା ସମୟରେ ସମସ୍ତ ମୁଦି କାଢି ବ୍ୟାଗରେ ରଖିଥିଲେ । କିନ୍ତୁ ପରେ ଦେଖିଲେ ବ୍ୟାଗରେ ୨ଟି ମୁଦି ଅଛି ହେଲେ ହୀରା ମୁଦି ନାହିଁ ।

ହୀରାମୁଦି ଚୋରି ହୋଇଥିବା ଜାଣିବା ପରେ ବୈପାରୀଗୁଡା ଥାନାରେ ପ୍ରଯୋଜକ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ନିର୍ମାତା ଦଳଙ୍କୁ ସହଯୋଗ କରୁଥିବା ବୈପାରିଗୁଡା ଅଂଚଳର ୨ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ସଂସ୍କୃତି ଚାଳିଚଳଣକୁ ଫିଲ୍ମ ମାଧ୍ୟରେ ଦେଶ ଦୁନିଆର ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆସିଛନ୍ତି ନିର୍ମାତା ଓ ପ୍ରଯୋଜକ ଦଳ । ହେଲେ ହୀରାମୁଦି ଚୋରି ହେବା ପରେ ପ୍ରଯୋଜକ ଟିମ ସୁଟିଂ ପାଇଁ ସ୍ଥାନ ନିରୂପଣ ଛାଡି ଭୁବନେଶ୍ୱର ଓ ମୁମ୍ବାଇ ଫେରିଯାଇଛନ୍ତି ।