ବାହାନଗା ଟ୍ରେନ ଦୁର୍ଘଟଣାକୁ ଛୁଇଁଲା ୧୦ ଦିନ । ଯାନ୍ତ୍ରିକ ନା ମନୁଷ୍ୟକୃତ, ଏଯାଏଁ ପରଦା ହଟାଇ ପାରିନି ସିବିଆଇ ।

131

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣାକୁ ଆଜି ୧୦ ଦିନ ଛୁଇଁଛି । ହେଲେ ଏପର୍ଯ୍ୟନ୍ତ ଦୋଷୀ କିଏ? କେଉଁଠି ଭୁଲ ଥିଲା, ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ? ଏହା ପଛରେ କିଛି ଷଡଯନ୍ତ୍ର ରହିଛି କି ନାହିଁ ତାହା ଉପରୁ ଏବେ ଯାଏ ପରଦା ହଟିପାରିନାହିଁ । ଗତ ୫ ଦିନ ହେବ ସିବିଆଇ ଟିମ୍ ମାମଲାର ଛାନଭିନ କରୁଥିଲେ ବି ଏହାର ଥଳକୁଳ ପାଉନଥିବା କୁହାଯାଉଛି । କାରଣ ଦୁର୍ଘଟଣା ସମ୍ପର୍କରେ ସିବିଆଇ ଷ୍ଟେସନ ମାଷ୍ଟର ସିଗନାଲ କର୍ମଚାରୀ, ରେଳ ଅଧିକାରୀଳ, ବିଷେଶଜ୍ଞ ଦଳ ସହ ତିନି ଥର ଘଂଟା ଘଂଟା ଧରି ସିବିଆଇ ଟିମ ଆଲୋଚନା କରିଛି । କିନ୍ତୁ କେହି ମଧ୍ୟ ସିବିଆଇକୁ ସଠିକ୍ ତଥ୍ୟ ଦେଇପାରୁନାହାଁନ୍ତି ।

ବିଭିନ୍ନ ସମୟରେ ତଥ୍ୟ ବଦଳାଯାଉଥିବାରୁ ଏହାର ତାଳମେଳ ମଧ୍ୟ ରହୁନି । ଫଳରେ ସିବିଆଇ ତଦନ୍ତ କେତେ ଆଗେଇଛି ତାର କିଛି ହିସାବ ନାହିଁ । କେବଳ ଘଟଣାସ୍ଥଳରେ ଯାଂଚ ଓ ସାମଗ୍ରୀ ଜବତରେ ସିବିଆଇ ତଦନ୍ତ ସୀମିତ ରହିଯାଇଛି । ସିବିଆଇ ତଦନ୍ତରୁ ସେପରି କିଛି ଲାଭ ମିଳିବ ନାହିଁ ବୋଲି ବିରୋଧୀ ନେତା ଅଭିଯୋଗ କରୁଥିଲେ । ଯାହା ଏବେ ସତ ହେଲାଭଳି ମନେହେଉଛି ।

ସେପଟେ ମୃତ ଯାତ୍ରୀଙ୍କ ସଦଗତି ଏବଂ ଆହତଙ୍କ ଆରୋଗ୍ୟ କାମନା କରି ଆଜି ବାହାନଗାରେ ଆୟୋଜିତ କରାଯାଇଛି ବିଶାଳ କାର୍ଯ୍ୟକ୍ରମ । ମୃତକଙ୍କ ପାଇଁ ଦଶାହ, ଶାନ୍ତି ପାଇଁ ବିଶ୍ୱଶାନ୍ତି ଯଜ୍ଞ, ଧାର୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସଂର୍କୀର୍ତନ୍ୟ ଓ ସର୍ବଧର୍ମ ସଭାର ଆୟୋଜନ କରିଛନ୍ତି ବାହାନଗା, ସୋର ଓ ବାଲେଶ୍ୱରର କିଛି ସାମାଜିକ ସଂଗଠନ । ଏପଟେ ବାହାନଗା ଷ୍ଟେସନରେ ସାମୟିକ ଭାବେ ଟ୍ରେନର ରହଣୀକୁ ବନ୍ଦ ରଖାଯାଇଛି । ଦକ୍ଷିଣପୂର୍ବ ରେଲୱର ସିପିଆରଓ କହିଛନ୍ତି ତଦନ୍ତ ଚାଲୁଥିବାରୁ, ଷ୍ଟେସନର ରିଲେ ରୁମ୍ ବନ୍ଦ ରହିଛି । ତେଣୁ ଷ୍ଟେସନରେ ଏବେ କୌଣସି ଟ୍ରେନ୍ ଅଟକିବ ନାହିଁ । ପରବର୍ତ୍ତି ନୋଟିସ ନଆସିବା ପର୍ଯ୍ୟନ୍ତ ଟ୍ରେନ ରହିବ ନାହିଁ । ଦୁର୍ଘଟଣାର ତଦନ୍ତ ଚାଲିଥିବାରୁ ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ରହିବ ନାହିଁ ବୋଲି ସୂଚନା ଦିଆଯାଇଛି ।