ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୫ରେ ବଜାଇବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍

134

କନକ ବ୍ୟୁରୋ: ଯୋଗୀ ଆଦିତ୍ୟନାଥ, ବିଜୟ ରୁପାନି ଓ ଅମିତାଭ ବଚ୍ଚନଙ୍କ ବହୁ ପ୍ରଭାବଶାଳୀ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇଛନ୍ତି । ପ୍ରତିଦିନ ସକାଳ ୯ଟାରେ ଖୋଲିଥାଏ ବମ୍ବେ ଷ୍ଟକ ଏକ୍ସଚେଞ୍ଜ- ବିଏସଇ । କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ ବଜାଇବାର ପରମ୍ପରା ରହିଛି । ବେଲ ବାଜିବାର ୧୫ ମିନିଟ ପରେ ଆରମ୍ଭ ହୁଏ ଟ୍ରେଡିଂ । ତେବେ ଆଗାମୀ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାରମ୍ପାରିକ କାର୍ଯ୍ୟକ୍ରମରେ ଯୋଗଦେବେ । ବିଏସଇର ଓପନିଂ ବେଲ ବଜାଇ ଷ୍ଟକ ଏକ୍ସଚେଞ୍ଜର କାରବାର ଆରମ୍ଭ କରିବାକୁ ସଙ୍କେତ ଦେବେ ନବୀନ । ଯାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱକୁ ଜାତୀୟସ୍ତରରେ ଆହୁରି ପ୍ରଭାବଶାଳୀ କରିବ ବୋଲି ଚର୍ଚ୍ଚା ହେଉଛି ।

ଜାତୀୟ ସ୍ତରରେ ନବୀନଙ୍କ ପତିଆରା ବଢିବାରେ ଲାଗିଛି । ନିକଟରେ ଜୀବନବ୍ୟାପୀ ସାଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲା ଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ୍ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନ ସିଟିରେ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ, ପୋପଙ୍କୁ ଭେଟିଥିଲେ ନବୀନ ପଟ୍ଟନାୟକ ।

ଆସନ୍ତାକାଲି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ତାରିଖରେ ଓଡିଶା ଇନଭେଷ୍ଟର ସମିଟରେ ଯୋଗଦେବେ । ନିବେଶକ ସମ୍ମିଳନୀରେ ଯୋଗଦେଇ ଦେଶର ବଡବଡ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ନବୀନ ।

  • ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ ବିର୍ଲାଙ୍କୁ ସାକ୍ଷାତ କରିବେ ନବୀନ
  • ସେହିପରି ବେଦାନ୍ତର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି

ନିବେଶ ସମ୍ମିଳନୀ ପୂର୍ବରୁ ଏହିପରି ବଡବଡ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ-ଇନ-ଓଡିଶାର ତୃତୀୟ ସଂସ୍କରଣ । ଏଥିରେ ଭାଗନେବା ପାଇଁ ଶିଳ୍ପପତିଙ୍କୁ ଅନୁରୋଧ କରିବେ ନବୀନ ।

ମୁମ୍ବାଇ ପୂର୍ବରୁ ଦୁବାଇ, ଅହମ୍ମଦାବାଦ ଓ ଦିଲ୍ଲୀରେ ହୋଇଥିଲା ନିବେଶକ ସମ୍ମିଳନୀ । ଅନେକ ପୁଞ୍ଜିପତି ଓଡିଶା ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ବଡକଥା ୨୦୧୬ ଓ ୨୦୧୮ ମେକ ଇନ୍ ଓଡିଶା କନକ୍ଲେଭକୁ ଅନେକ ବଡବଡ ପୁଞ୍ଜିପତି ଯୋଗଦେଇଥିଲେ ମଧ୍ୟ ଆଶା ଅନୁରୂପ ନିବେଶ ହୋଇପାରିନାହିଁ ।