ଓଡ଼ିଶାରେ ବିଜେପି-ବିଜେଡି ପାର୍ଟନରସିପ ଚାଲିଛି, ଏହାକୁ ନିଶ୍ଚୟ ଭାଙ୍ଗିବୁ । ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ ।

155

କନକ ବ୍ୟୁରୋ : ସିମୁଳିଆରେ ରାହୁଲଙ୍କ ଜନସଭା । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରଥମରୁ ବିଜେପିର କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଏହା ପ୍ରଥମ ନିର୍ବାଚନ ଯେଉଁଠି ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ । ଅନ୍ୟପଟେ ବିଜେପି ଓ ଆରଏସଏସ ଲୋକ କହୁଛନ୍ତି ବିଜେପି ସରକାର ହେଲେ ଭାରତର ସମ୍ବିଧାନକୁ ଚିରି ଫୋପାଡି ଦେବାକୁ କହୁଛନ୍ତି । କିନ୍ତୁ ବିଜେପି ଯେତେ ସ୍ୱପ୍ନ ଦେଖୁଛି ଦେଖୁ କିନ୍ତୁ ବିଶ୍ୱର ଏମିତି କୌଣସି ଶକ୍ତି ନାହିଁ ଯିଏ ଭାରତର ସମ୍ବିଧାନକୁ ଶେଷ କରିଦେବ । ଯେତେ ଶକ୍ତି ଲଗାଇଲେ ମଧ୍ୟ ସମ୍ବିଧାନକୁ ଛୁଇଁପାରିବନି । ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି । ଏମାନଙ୍କର ଭାବନା ଗୋଟିଏ ପ୍ରକାର ।

ଏହାସହ ରାହୁଲ କହିଛନ୍ତି, ବିଜେପି ମୋ ନାଁରେ ୨୪ଟି ମାମଲା କରିଛି । ମାନହାନି ମୋକଦ୍ଦମା, ଅପରାଧିକ ମାମଲା, ଲୋକସଭା ସଦସ୍ୟତା ରଦ୍ଦ କଲେ, ୫୦ ଘଣ୍ଟା ଇଡିରେ ପଚରାଉଚରା କଲେ, ଘର ମଧ୍ୟ ଛଡାଇନେଲେ । ଯେତେବେଳେ ମୋ ଠାରୁ ସରକାରୀ ଘର ନେଲେ ସେତେବେଳେ କହିଥିଲି ଏ ଘର ନେଇଯାଅ । ପୂରା ଦେଶରେ ମୋ ପାଇଁ କୋଟି କୋଟି ଘର ଅଛି, ସମସ୍ତଙ୍କ ହୃଦୟରେ ମୋ ଘର ଅଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ସତରେ ବିଜେପି ସହ ଲଢୁଥାନ୍ତେ ତେବେ ତାଙ୍କ ନାଁରେ ମାମଲା କାହିଁକି ହେଲାନି । ତାଙ୍କ ସଦସ୍ୟତା କାହିଁକି ରଦ୍ଦ କରାଗଲାନି । କାହିଁକି ତାଙ୍କୁ ପଚରାଉଚରା କରାଗଲାନି । ବିଜେପି ପାଇଁ କାମ କରୁଛି ବିଜେଡି । ଏଠାରେ ଉଭୟଙ୍କର ପାର୍ଟନରସିପ୍ ଚାଲୁଛି । ଓଡ଼ିଶାର ଖଣି, ସମ୍ପଦକୁ ଚୋରି ଓ ଲୁଟ କରିବାକୁ ଏ ପାର୍ଟନରସିପ ହୋଇଛି । ଏଠାରେ ସରକାର ନବୀନ ଚଲାଉନାହାନ୍ତି । ଆଉ କେହି ପି ଚଲାଉଛନ୍ତି ।

ତେଲେଙ୍ଗାନାରେ ପ୍ରଥମେ ବିଆରଏସ ଓ ବିଜେପି ମଧ୍ୟରେ ପାର୍ଟନରସିପ ଥିଲା । ସେଠାକାର ମୁଖ୍ୟମନ୍ତ୍ରୀ ବିଜେପି ପାଇଁ କାମ କରୁଥିଲା । କିନ୍ତୁ ତେଲେଙ୍ଗାନାରେ କଂଗ୍ରେସ ସ୍ୱର ଉଠାଇଥିଲା ଓ ଲଢେଇ କରିଥିଲା । ଯାହାର ଜବାବ ତେଲେଙ୍ଗାନାବାସୀ ନିର୍ବାଚନରେ ଦେଇଥିଲେ । ଆଜି ତେଲେଙ୍ଗାନାରେ କୋଟିପତିଙ୍କ ସରକାର କି ଏକଛତ୍ରବାଦ ସରକାର ନାହିଁ ବରଂ ସାଧାରଣ ଲୋକଙ୍କ ସରକାର ଚାଲିଛି । ଏଠାରେ ସରକାର ଜନତାଙ୍କ କାମ କରୁଛି । ଯାହା ଓଡ଼ିଶାରେ ମଧ୍ୟ କରିବୁ । ନବୀନ -ମୋଦୀଙ୍କ ମଧ୍ୟରେ ଚାଲିଥିବା ପାର୍ଟନରସିପକୁ ଓଡ଼ିଶାରେ ଭାଙ୍ଗିବୁ ।

ମୋଦୀ ସରକାର ୨୨ ଜଣ କୋଟିପତି ଉଦ୍ୟୋଗପତିଙ୍କ ପାଇଁ କାମ କରୁଛନ୍ତି । ଯେଉଁମାନଙ୍କର ୧୬ ଲକ୍ଷ କୋଟି ଟଙ୍କା ଛାଡ କରିଛନ୍ତି । ଇଣ୍ଡିଆ ମେଣ୍ଟ ସରକାର ଆସିଲେ ଦେଶରେ କ୍ରାନ୍ତିକାରି କାମ ହେବ । ଇଣ୍ଡିଆ ମେଣ୍ଟ ଯାହା କରିବାକୁ ଯାଉଛି ତାହା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିବେ । ମହାଲକ୍ଷ୍ମୀ ଯୋଜନାରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ମିଳିବ । ଜୁନ୍ ୪ରେ ସରକାର ହେବା ପରେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ ହେବ । ୪ ଜୁଲାଇରେ ମହିଳା ମାନେ ନିଜ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିବେ ଏବଂ ୮୫୦୦ ଟଙ୍କା ମିଳିବ । ମାସିକ ୮,୫୦୦ ଓ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଏହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେବ । ଅଦାନୀ ଠାରୁ ଟଙ୍କା ଆଣିବୁ ସାଧାରଣ ମହିଳାଙ୍କ ଆକାଉଣ୍ଟରେ ଦେବୁ ।

ଅଦାନୀ ଓ ଅମ୍ବାନୀଙ୍କୁ ସାଧାରଣ ଲୋକଙ୍କ ଟଙ୍କା ଦେଇଛନ୍ତି ମୋଦୀ । ସେମାନେ ବିଦେଶରେ ବ୍ୟବସାୟ କରୁଛନ୍ତି, ବଙ୍ଗଳା କିଣୁଛନ୍ତି । କିନ୍ତୁ ଏହି ଟଙ୍କା ଓଡ଼ିଶାର ମହିଳାଙ୍କୁ ଆମେ ଦେବୁ । ମହିଳା ମାନେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବେ । ଓଡ଼ିଶାର ଚାଷୀ ଓ ଶ୍ରମିକଙ୍କୁ ମଧ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବୁ । ଚାଷୀଙ୍କର ଋଣ ଛାଡ କରିବୁ । ଚାଷୀଙ୍କ ପାଇଁ ଋଣ ଛାଡ ଉଦ୍ୟୋଗ କରିବୁ । ଯେତେବେଳେ ଚାଷୀଙ୍କୁ ଋଣ ଛାଡର ଆବଶ୍ୟକତା ପଡିବ ସେତେବେଳେ ଏହି ଉଦ୍ୟୋଗର ନିର୍ଦ୍ଦେଶରେ ଭାରତ ସରକାର ଚାଷୀଙ୍କ ଋଣ ଛାଡ କରିବ । ଯୁବକଙ୍କୁ ଅଗ୍ନିବୀର ଯୋଜନା ବହୁତ କଷ୍ଟ ଦେଇଛି । ଇଣ୍ଡିଆ ମେଣ୍ଟ ସରକାର ହେଲେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବ । ପ୍ରତି ସୈନିକଙ୍କୁ ସମାନ ସୁବିଧା ମିଳିବ । ୩୦ ଲକ୍ଷ ସରକାରୀ ଚାକିରି ଫାଙ୍କା ପଡିଛି, ତାହାକୁ ପୂରା କରିବୁ । ଶ୍ରମିକଙ୍କୁ ମନେରଗାରେ ଦୈନିକ ପାରିଶ୍ରମିକ ୪୦୦ ଟଙ୍କା ମିଳିବ । ଯୁବକଙ୍କୁ ପେହେଲି ନୌକରି ପକ୍କି ଯୋଜନାରେ ନିଯୁକ୍ତି ମିଳିବ ଏବଂ ଆକାଉଣ୍ଟରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।

ଗଣମାଧ୍ୟମ ଉପରେ ବର୍ଷିବା ସହ ରାହୁଲ କହିଛନ୍ତି, ଗଣମାଧ୍ୟମ ଏବେ ଅଦାନୀ ଓ ଅମ୍ବାନୀର ଚାମଚା ହୋଇଛନ୍ତି । ମୋଦୀଙ୍କ ପାଇଁ କାମ କରୁଛନ୍ତି । ଇଣ୍ଡିଆ ମେଣ୍ଟ ସରକାର ଗଣମାଧ୍ୟମର କଥା ଶୁଣିବନି ବରଂ ଚାଷୀ, ଗରିବ, ଯୁବକ, ଆଦିବାସୀ ଓ ପଛୁଆ ବର୍ଗଙ୍କ କଥା ଶୁଣିବ । ୯୫% ଲୋକଙ୍କ ସରକାର ହେବ ଇଣ୍ଡିଆ ମେଣ୍ଟ ସରକାର । ମୋଦୀଙ୍କ ଭଳି ୧% ଲୋକଙ୍କ ପାଇଁ ସରକାର କରିବୁନି ।

ବିଜେପି ଓଡ଼ିଶାର ଅପମାନ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ସହ ପ୍ରତିଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ନରେନ୍ଦ୍ର ମୋଦୀ କହୁଛନ୍ତି, ମୁଁ ଭଗବାନଙ୍କ କାମ କରୁଛି । ବିଜେପି ଦଳର ନେତା କହୁଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କ ଭକ୍ତ । ଏମାନଙ୍କର ଚିନ୍ତାଧାରରେ କେତେ ଅହଙ୍କାର ଭରି ରହିଛି । ବିଜେପି ନେତା କହୁଛନ୍ତି, ମୋଦୀଙ୍କ ପାଇଁ ଭଗବାନ କାମ କରୁଛନ୍ତି । ସମ୍ବିଧାନକୁ ବଞ୍ଚାଇବାକୁ ଲୋକଙ୍କ ସରକାର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ ।